ଲୋଇସିଂହା,୧।୪(ଡି. ଏନ. ଏ ): ୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ତହସିଲ ମୁଖ୍ୟ କିରାଣୀ କିଶୋରୀ ଖରସେଲ। ଜୈନେକ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଧରାପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି ।
ବ୍ଲକ ଅନ୍ତର୍ଗତ ଭରସୁଜା ପଞ୍ଚାୟତ ଅନ୍ତର୍ଗତ ବିନ୍ଧାପାଲି ଗ୍ରାମର ପିଣ୍ଟୁ ସାହୁଙ୍କ ବାଲି ବୋଝେଇ ଟ୍ରାକ୍ଟରକୁ କିଛି ଦିନ ତଳେ ତହସିଲ କତୃପକ୍ଷ ଧରି ଜରିମାନା ପକାଇଥିଲେ । ଟ୍ରାକ୍ଟରକୁ ମୁକାଲିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇ ପିଣ୍ଟୁ ନୟାନ୍ତ ହୋଇପଡିଲେ l ଟ୍ରାକ୍ଟର ଛାଡିବା ପାଇଁ ମୁଖ୍ୟକିରାଣୀ ଖରସେଲ କୁଆଡେ ୪୫ ହଜାର ଟଙ୍କା ଦାବି କରିଥିଲେ l ଶେଷରେ ୩୫ ହଜାରରେ କଥା ଛିଣ୍ଡିଥିଲା। ଏନେଇ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେl ଭିଜିଲାନ୍ସ ଯୋଜନା ମୁତାବକ ପିଣ୍ଟୁ ମୁଖ୍ୟ କିରାଣୀ ଖରସେଲଙ୍କ ସରକାରୀ କ୍ୱାଟରକୁ ଯାଇ ଲାଞ୍ଚ ବାବଦକୁ ରାସାୟନିକ ପ୍ରଲେପ ଦିଆ ୩୫ ହଜାର ଟଙ୍କା ଦେଇଥିଲେ। ସେଠାରେ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରି ସଙ୍ଗେସଙ୍ଗେ ଲାଞ୍ଚ ଟଙ୍କା ଜବତ କରିଥିଲେ ।