Categories: ଜାତୀୟ

ଗିରଫ ନେତାଙ୍କୁ ଗୃହବନ୍ଦୀ ନିର୍ଦ୍ଦେଶ

କୋଲକାତା, ୨୨।୫: ନାରଦ ଷ୍ଟିଙ୍ଗ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ କ୍ୟାବିନେଟର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କ ସମେତ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ ରଖିବାକୁ କୋଲକାତା ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ନାରଦ ଷ୍ଟିଙ୍ଗ ଅପରେଶନ ଲାଞ୍ଚ କାରବାର ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ସୋମବାର ଉକ୍ତ ନେତାମାନଙ୍କୁ ଗିରଫ କରିଥିଲା। ଦୁଇ ମନ୍ତ୍ରୀଙ୍କ ଗିରଫଦାରିକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ୬ ଘଣ୍ଟା ଧାରଣା ଦେବା ସହ ଟିଏମ୍‌ସି କର୍ମୀମାନେ ସୁରକ୍ଷା ବଳ ଉପରେ ଡେଲାମାଡ଼ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମ୍‌ସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଦିନ ସିବିଆଇର ସ୍ବତନ୍ତ୍ର ଅଦାଲତ ଉପରୋକ୍ତ ନେତାମାନଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହା ବିରୋଧରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାମଲାର ବିଚାର ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲା। କିଛି ସମୟ ପରେ ହାଇକୋର୍ଟ ଟିଏମ୍‌ସି ନେତାମାନଙ୍କ ଜାମିନ ଆବେଦନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଗୃହବନ୍ଦୀ ନିର୍ଦ୍ଦେଶ ସ୍ଥଗିତ ରଖିବା ଲାଗି ଟିଏମ୍‌ସି ନେତାମାନଙ୍କ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ଅରିଜିତ ବାନାର୍ଜୀ ଟିଏମ୍‌ସି ନେତାମାନଙ୍କୁ ଜାମିନ ଦେବା ପାଇଁ ରାଜି ହୋଇଥିବାବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେନ୍ଦ୍ର ବିନ୍ଦଲ ଗୃହବନ୍ଦୀ ପାଇଁ ନିର୍ଦ୍ଦେଶ ଦେବା ସହ ଜାମିନ ଆବେଦନର ବିଚାର ପାଇଁ ୫ଜଣିଆ ଖଣ୍ଡପୀଠକୁ ପଠାଇଛନ୍ତି।

Share