Categories: ଜାତୀୟ

ଡେରିରେ ଆସିଲେ, ଅଧାରୁ ଉଠିଲେ

କୋଲକାତା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗକୁ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରାଇଥିଲେ। ମମତା ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ସମାନ ସ୍ଥାନରେ ଥାଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ୩୦ ମିନିଟ ବିଳମ୍ବରେ ପହଞ୍ଚତ୍ଥିଲେ ଏବଂ ଅଧାରୁ ଉଠିଯାଇଥିଲେ। ମମତାଙ୍କ ଏପରି ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିବା ଭାଜପାର ଶୁଭେନ୍ଦୁ ଅଧିକାରୀ (ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା) ଉକ୍ତ ବୈଠକରେ ଉପସ୍ଥିତ ଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏପରି କରିଥିବା ଆଲୋଚନା ହେଉଛି।
ପଶ୍ଚିମ ମେଦିନୀପୁର ଜିଲା ଖଡ଼ଗପୁରସ୍ଥିତ କଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ହୋଇଥିଲା। ସେଠାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କ ସମେତ ଆଉ କେତେଜଣ ଅଧିକାରୀ ଉପସ୍ଥିତ ଥିଲେ। ମମତା ସେଠାରେ ୩୦ ମିନିଟ ବିଳମ୍ବରେ ପହଞ୍ଚତ୍ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେଇ ଅନ୍ୟ ବୈଠକରେ ଯୋଗଦେବା ପାଇଁ ଚାଲିଯାଇଥିଲେ। ଏନେଇ ରାଜ୍ୟପାଳ ଟୁଇଟ୍‌ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକରେ ସାମିଲ ହୋଇ ଆଲୋଚନା କରିଥିଲେ ରାଜ୍ୟବାସୀଙ୍କ ସ୍ବାର୍ଥରକ୍ଷା ହୋଇଥାଆନ୍ତା। ଏଭଳି ମୁହଁାମୁହିଁ ଆଭିମୁଖ୍ୟ ରାଜ୍ୟ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ରାଜ୍ୟପାଳ ସମାଲୋଚନା କରିଛନ୍ତି।

Share