ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି

ଭୁବନେଶ୍ୱର,୧୦।୧୧ (ବନ୍ଦନା ସେଠୀ): ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ। ପ୍ରତ୍ୟେକ ଦୋକାନୀ ନିଜ ଦୋକାନରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ସହ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ ରଖିବେ। ନିଜ ଦୋକାନ ସହ ଦୋକାନର ୫ ମିଟର ପରିଧିକୁ ସ୍ବଚ୍ଛ ରଖିବେ। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଏମ୍‌ସି, କମିଶନରେଟ ପୋଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ବାଡ୍‌ ଗଠନ କରାଯାଇଛି। ୩ଟି ଜୋନ୍‌ରେ ଥିବା ଏହି ଦୋକାନଗୁଡିକୁ ସ୍କ୍ବାଡ୍‌ ସଦସ୍ୟମାନେ ନିୟମିତ ପ୍ରଦକ୍ଷିଣ କରିବେ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଚଳିତ ଦୀପାବଳିକୁ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କରିବା ପାଇଁ ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ସାଧାରଣତଃ ଦୀପାବଳିରେ ଅଧିକ ମିଷ୍ଟାନ୍ନ ବିକ୍ରି ହୋଇଥାଏ। ତେଣୁ ବିଏମ୍‌ସି ଅଞ୍ଚଳରେଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରକୁ ଖାଦ୍ୟର ଗୁଣବତ୍ତା ଏବଂ ସ୍ବଚ୍ଛତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ଅପମିଶ୍ରଣ, ବାସି ବା ସଂକ୍ରମିତ ଖାଦ୍ୟର ସୂଚନା ମିଳିଲେ ତୁରନ୍ତ ତାହାକୁ ସିଲ କରାଯିବ। ଖାଦ୍ୟ ସୁରକ୍ଷା ଟିମ୍‌ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ମୋବାଇଲ ଟେଷ୍ଟିଂ ଲାବ୍‌ର ଉପଯୋଗ କରିବେ। ଅପରପକ୍ଷେ ଦୀପାବଳିକୁ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କରି ଏଥିରୁ ଆନନ୍ଦ ନେବାକୁ ମେୟର ଅପିଲ କରିଛନ୍ତି। ବୈଠକରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, କର୍ପୋରେଟର ରାଜକିଶୋର ଦାସ, ଅତିରିକ୍ତ କମିଶନର ଲକ୍ଷ୍ମମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର ଡ. ମନୋରଂଜନ ସାହୁ, ସିଏଚ୍‌ଓ ଡା. ଦୀପକ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Share