Categories: ଜାତୀୟ

ଆର୍ସେନିକ ଯୋଗୁ ଦେଶର ଦୁଇଶହ ସହରରେ ବଢୁଛି କ୍ୟାନସର !

ନୂଆଦିଲ୍ଲୀ,୧୦ ।୧: ଗୋଟିଏ ପଟେ ଦେଶ କରୋନା ମହାମାରୀରୁ ଉଦ୍ଧାର ପାଇ ନ ଥିବା ବେଳେ ଅନ୍ୟପଟେ କାୟା ବିସ୍ତାର କଲାଣି ବାର୍ଡଫ୍ଲୁ । ଆଉ ଏହାରି ଭିତରେ ଆଉଏକ ଚମକାଇବା ଭଳି ଖବର ମିଳିଛି । ଦେଶର ପାଖାପଖି ୨ଶହ ସହରରେ କିଛିବର୍ଷ ହେବ କ୍ୟାନସରର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର କାରଣ ଆର୍ସେନିକ ବୋଲି କୁହାଯାଉଛି । ଯାହା ଶରୀର ମଧ୍ୟକୁ ଯାଇ କ୍ୟାନସର ସୃଷ୍ଟି କରୁଛି । ବିହାରରେ ରହୁଥିବା ଜଣେ ୭୦ ବର୍ଷୀୟ ବୃଦ୍ଧା କୁହନ୍ତି ଗତ କିଛିବର୍ଷ ହେବ ସେ ବିଛଣାରେ ପଡି ରହିଛନ୍ତି । ତାଙ୍କ ଶରୀରର ଅଧା ଅଂଶ କାମ କରୁନାହଁ । କିଛିବର୍ଷ ପୂର୍ବେ ସେ ଦିଲ୍ଲୀର ଏମ୍ସ ଚିକିତ୍ସା ପାଇଁ ଯାଇଥିବା ବେଳେ ସେ ଆର୍ସେନିକ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ବୋଳି ଡାକ୍ତର ତାଙ୍କୁ କହିଥିଲେ । ସୂଚନାଯୋଗ୍ୟ, ଆର୍ସେନିକ ଦକ୍ଷିଣ ଏସିଆ ଦେଶ ଯେମିତିକି ଭାରତ, ନେପାଳ ଓ ବାଂଲାଦେଶର ଭୂତଳ ଜଳରେ ପ୍ରାକୃତିକ ଭାବେ ମିଳିଥାଏ । ଏହି ଆର୍ସେନିକ ଯୋଗୁ ଉତ୍ତର ଭାରତର ଲୋକେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏକ ଗବେଷଣାରୁ ଜଣାପଡିଛି ଯେ ଦେଶରେ ପାଖାପାଖି ୧ କୋଟି ଲୋକ କ୍ୟାନସର ସୃଷ୍ଟି କରୁଥିବା ଭୂତଳ ଜଳ ବ୍ୟବହାର କରୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ରୋଗଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଆର୍ସେନିକର ପ୍ରଭାବ ପ୍ରଥମେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଦେଖାେଇଥିଲା । ଏହାପରେ ଏହାର ପ୍ରଭାବ ଗଙ୍ଗା ନଦୀ କୂଳରେ ଥିବା ପଶ୍ଚିମବଙ୍ଗ, ବାଂଲାଦେଶ, ନେପାଳ ଓ ଦକ୍ଷିଣରେ ବିହାର, ଉତ୍ତରପ୍ରଦେଶ, ଆସାମରେ ଦେଖାଦେଇଥିଲା । ଏକ ସିଭିଲ ସୋସାଇଟି ଗ୍ରୁପ ଇନର ବାୟସ ଫାଉଣ୍ଡେଶନର ସଦସ୍ୟ ସୌରଭ ସିଂ କୁହନ୍ତି ଗଙ୍ଗା ନଦୀ ନିକଟରେ ଥିବା ଉତ୍ତର ଭାରତର ପାଖାପାଖି ୨୦୦ ସହରରେ ପିଇବା ପାଣିରେ ଆର୍ସେନିକ ରହୁଛି । ଏହାଫଳରେ ଗତ ୨୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକ ଆର୍ସେନକ ପ୍ରଭାବରେ ମୃତ୍ୟୁ ବରଣ କଲେଣି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ରେ ଏକ ରିପୋର୍ଟରେ କହିଥିଲା କି ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୯ଜିଲା, ଆସମର ୧୮ ଜିଲା, ବିହାରର ୧୧ ଜିଲା, ଉତ୍ତରପ୍ରଦେଶର ୧୭ ଜିଲା, ପଞ୍ଜାବର ୧୭ ଜିଲା, ଝାଡଖଣ୍ଡର ୩ ଜିଲା ଓ କର୍ନାଟକର ୨ ଜିଲାରେ ଆର୍ସେନିକର ପ୍ରଭାବ ଦେଖାଯାଇଛି । ତେଣୁ ଏବେ ଏହି ଆର୍ସେନକି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି ।

Share