ଯାଜପୁର ଟାଉନ,୩୦।୩(ଡି.ଏନ.ଏ.): ଯାଜପୁର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ବୁଡ଼ ପାଇଁ ମାର୍ଚ୍ଚ ୨୯ ଓ ୩୦ ତାରିଖ ୨ଦିନ ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ୨ ଦିନ ଦଶାଶ୍ୱମେଧ ଘାଟଠାରୁ ବଲ୍ଲଭିଘାଟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ମାତ୍ର ଉକ୍ତ କଟକଣା ଭାଙ୍ଗି ମଙ୍ଗଳବାର ଭୋର ୪ ଘଟିକାରୁ ଜିଲା ଏବଂ ଜିଲା ବାହାରୁ ହଜାରହଜାର ସଂଖ୍ୟକ ଶ୍ରଦ୍ଧାଳୁ ଆସି ବୁଡ଼ ପକାଇ ଥିଲେ। ଖବର ପାଇ ପୋଲିସ ଓ ତହସିଲଦାର ପହଞ୍ଚତ୍ ଏଠାରେ ବୁଡ଼ ଓ ପିଣ୍ଡ ପକାଇଥିବା ଲୋକମାନଙ୍କୁ ଘଉଡ଼ାଇ ବିଦା କରିଥିଲେ। ବୈତରଣୀ ନଦୀର ଦଶାଶ୍ୱମେଧ ଘାଟଠାରେ ବ୍ୟାରେଜ ନିର୍ମାଣ ହେଉଥିବାରୁ ଏହି ଘାଟରେ ଗାଧୋଇବା ବିପଦପୂର୍ଣ୍ଣ ଦର୍ଶାଇ ଚଳିତବର୍ଷ ବାରୁଣୀ ବୁଡ଼କୁ ନିଷେଧ କରାଯାଇଛି। ଏଥିପାଇଁ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ୧୪୪ ଧାରା ଜାରି କରାଯାଇଥିଲା। ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେବୋଲି ପୋଲିସ ପକ୍ଷରୁ ଜଣାଇ ଦିଆଯାଇଥିଲା। ହେଲେ ନିୟମ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଅନ୍ୟପକ୍ଷରେ ୨ବର୍ଷ ହେବ କରୋନା ଯୋଗୁ ବାରୁଣୀ ବୁଡ଼କୁ ବାରଣ କରାଯାଇଥିଲା। ତେବେ ଚଳିତ ବର୍ଷ ଯୋଗ ପଡ଼ିଥିଲେ ମଧ୍ୟ ଶ୍ରଦ୍ଧାଳୁ ବାରୁଣୀରେ ବୁଡ଼ ପକାଇ ନ ପାରିବରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।