Categories: ଜାତୀୟ

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ ହେବା ଜରୁରୀ, ମମତା ସରକାରଙ୍କ ପତନ ଆସନ୍ତା ୫-୬ ମାସ ମଧ୍ୟରେ: ଭାଜପା…

କୋଲକାତା,୧୭।୭ : ହିଂସା କାରଣରୁ ପଶ୍ଚିମବଙ୍ଗରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ହେଡଲାଇନରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦୁଇ ବରିଷ୍ଠ ଭାଜପା ନେତା ପୂର୍ବାନୁମାନ କରିଛନ୍ତି। ଭାଜପା ନେତା କହିଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବର୍ତ୍ତମାନର ଟିଏମସି ସରକାରଙ୍କର ଆସନ୍ତା ପାଞ୍ଚ ମାସ ମଧ୍ୟରେ ପତନ ଘଟିପାରେ।

ଉତ୍ତର ୨୪ ପରଗଣା ଜିଲାର ବନଗାଓ୍ବଁ ନିର୍ବାଚନମଣ୍ଡଳୀରୁ ଭାଜପାର ଲୋକସଭା ସଦସ୍ୟ ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି ମୁଁ ନିଶ୍ଚିତ କରିପାରିବି ବର୍ତ୍ତମାନର ରାଜ୍ୟ ସରକାର ଅଧିକରୁ ଅଧିକ କେତେ ମାସ କ୍ଷମତାରେ ରହିବେ? ଏହା ପାଞ୍ଚ କିମ୍ବା ଛଅ ମାସ। ଏହା ସହିତ ସେ ମଧ୍ୟ ରାଜ୍ୟରେ ସମ୍ବିଧାନର ଧାରା ୩୫୫ ଲାଗୁ କରିବାକୁ ଦାବି କରିଛନ୍ତି।

ଶାନ୍ତନୁ ଠାକୁର ଏଭଳିି ମନ୍ତବ୍ୟ ଦେବାର କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ଭାଜପା ରାଜ୍ୟ ସଭାପତି ତଥା ବାଲୁରଘାଟରୁ ଦଳର ଲୋକସଭା ସଦସ୍ୟ ସୁକାନ୍ତ ମଜୁମଦାର ମଧ୍ୟ କିଛି ସବିଶେଷ ତଥ୍ୟ ଦେଇଛନ୍ତି। ମଜୁମଦାର କହିଛନ୍ତି, ରାଜ୍ୟ ସରକାରଙ୍କର ପାଞ୍ଚ-ଛଅ ମାସ ମଧ୍ୟରେ ଯେକୌଣସି ସମୟରେ ପତନ ଘଟିପାରେ। ଯେକୌଣସି ସମୟରେ ବିଧାୟକଙ୍କ ଗୋଷ୍ଠୀ ନିଜର ସମର୍ଥନ ପ୍ରତ୍ୟାହାର କରିନେବାର ଆଶଙ୍କା ରହିଛି।

ସମ୍ବିଧାନର ଧାରା 355 ଜରୁରୀକାଳୀନ ବ୍ୟବସ୍ଥାର ଏକ ଅଂଶ ଯାହା ସମ୍ବିଧାନର ଭାଗ ୧୮ ରେ ଅନ୍ତର୍ଭୁକ୍ତ।ଯେଉଁଥିରେ କୁହାଯାଇଛି ପ୍ରତ୍ୟେକ ରାଜ୍ୟକୁ ବାହ୍ୟ ଆକ୍ରୋଶ ତଥା ଆଭ୍ୟନ୍ତରୀଣ ବିଶୃଙ୍ଖଳାରୁ ରକ୍ଷା କରିବା ତଥା ସମ୍ବିଧାନର ନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସରକାର କାର୍ଯ୍ୟ କରିବା ନିଶ୍ଚିତ କରିବା କେନ୍ଦ୍ରର କର୍ତ୍ତବ୍ୟ ।

ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜ୍ୟ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଧୁ ଆଧିକାରୀ ଅନେକ ଆକଳନ କରିଛନ୍ତି। ବର୍ତ୍ତମାନ ସେମାନେ ସମୟ କହି ଭବିଷ୍ୟବାଣୀ କରୁଛନ୍ତି। ସେମାନଙ୍କୁ ଏପରି ଭବିଷ୍ୟବାଣୀ କରିବାକୁ ଦିଅନ୍ତୁ। ସେମାନଙ୍କର ସ୍ବପ୍ନ କେବେ ପୂରଣ ହେବ ନାହିଁ। ପଶ୍ଚିମବଙ୍ଗରେ ଭାଜପାର କୌଣସି ଆଧାର ନାହିଁ।

Share