କ୍ୟାନ୍‌ସର ସେଲ୍‌ ନାଶ କରିବ କୃତ୍ରିମ ଡିଏନ୍‌ଏ

ଟୋକିଓ,୨।୧: ସଦ୍ୟଶିଶୁଠାରୁ ଆରମ୍ଭ କରି ବୟସ୍କ, ପ୍ରତ୍ୟେକ ବୟସ ବର୍ଗର ଲୋକେ ବର୍ତ୍ତମାନ କ୍ୟାନ୍‌ସରରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ରୋଗ ଭଲ କରିବା ଲାଗି ଉପଲବ୍ଧ ଥିବା ଚିକିତ୍ସା ପଦ୍ଧତି ବ୍ୟୟବହୁଳ ହୋଇଥିବାବେଳେ ଏହା ରୋଗୀ ଶରୀରରେ ବହୁ ପାର୍ଶ୍ୱ ପ୍ରତିକ୍ରିୟା ପକାଉଥିବା ଦେଖାଯାଉଛି। ଏ ପ୍ରକାର ସମସ୍ୟାରୁ ରୋଗୀଙ୍କୁ ଲାଘବ କରିବା ଲାଗି ଟୋକିଓ ବିଶେଷଜ୍ଞମାନେ କର୍କଟ ରୋଗ ଲାଗି ନୂଆ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛନ୍ତି। ଔଷଧ ଛଡ଼ା ଏବେ ଡିଏନ୍‌ଏ ସାହାଯ୍ୟରେ କର୍କଟ ରୋଗର ଚିକିତ୍ସା କରାଯାଇପାରିବ। ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ କୃତ୍ରିମ ଡିଏନ୍‌ଏ ଆବିଷ୍କାର କରିଛନ୍ତି, ଯାହା କ୍ୟାନ୍‌ସର ସେଲ୍‌ର ବିନାଶ କରିବ। ଅଧ୍ୟୟନ ସମ୍ପର୍କିତ ବିସ୍ତୃତ ତଥ୍ୟ ଆମେରିକା କେମିକାଲ ସୋସାଇଟିରେ ପ୍ରକାଶ ପାଇଛି।
କ୍ୟାନ୍‌ସରର ଚିକିତ୍ସା ପାଇଁ ସାଧାରଣ ଭାବେ ଡିଏନ୍‌ଏ କିମ୍ବା ଆର୍‌ଏନ୍‌ଏ ପ୍ରୋଟିନ୍‌ର ବ୍ୟବହାର ହୋଇ ନ ଥାଏ। ଏଥିଲାଗି ଡିଏନ୍‌ଏକୁ ନେଇ ବିଶେଷଜ୍ଞଙ୍କ ତରଫରୁ କରାଯାଇଥିବା ଗବେଷଣା ଚ୍ୟାଲେଞ୍ଜିଙ୍ଗ ଥିବା ଟୋକିଓ ୟୁନିଭର୍ସିଟି ପ୍ରଫେସର ଓକାମୋଟୋ କହିଛନ୍ତି। ମେଡିସିନ୍‌ ମନୁଷ୍ୟ ଶରୀରରେ କ୍ୟାନ୍‌ସର ପ୍ରଭାବକୁ କମାଇଥାଏ, କିନ୍ତୁ କ୍ୟାନ୍‌ସର ସେଲ୍‌କୁ ବିନାଶ ଲାଗି ବିଶେଷଜ୍ଞ ଡିଏନ୍‌ଏ ପଦ୍ଧତିକୁ ଖୋଜି ବାହାର କରିଛନ୍ତି। ବିଶେଷଜ୍ଞଙ୍କ ଦ୍ୱାରା ବିକଶିତ ହେୟାର୍‌ ପିନ୍‌ ଆକୃତିର ଡିଏନ୍‌ଏ ଷ୍ଟ୍ରାଣ୍ଡ ଶରୀରରେ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ତିଆରି କରିଥାଏ, ଯାହା ବିଶେଷ ପ୍ରକାର କ୍ୟାନ୍‌ସର ସେଲ୍‌କୁ ଟାର୍ଗେଟ୍‌ କରି ତାହାକୁ ମାରିଥାଏ। ଜରାୟୁ ଏବଂ ସ୍ତନ କର୍କଟ ରୋଗୀଙ୍କ କ୍ଷେତ୍ରରେ କୃତ୍ରିମ ଡିଏନ୍‌ଏ ପଦ୍ଧତିର ଚିକିତ୍ସା ଲାଭଦାୟକ। କର୍କଟ ବ୍ୟତୀତ ଭୂତାଣୁଜନିତ ବହୁରୋଗ ଏବଂ ଜେନେଟିକ୍‌ ଡିଜିଜ୍‌ର ଚିକିତ୍ସା ଏହି ପଦ୍ଧତିରେ କରିବା ଲାଗି ଟୋକିଓ ୟୁନିଭର୍ସିଟି ପ୍ରଫେସରମାନଙ୍କ ପକ୍ଷରୁ ଅଧ୍ୟୟନ ଜାରି ରହିଛି।

Share