ବୋଷ୍ଟନ,୧୬ା୬: ଚିକିତ୍ସା ବିଜ୍ଞାନରେ ଉନ୍ନତି ଫଳରେ ବହୁ ଦୁଃସାଧ୍ୟ ରୋଗ ଭଲ ହୋଇପାରୁଛି। ସେହିପରି ପ୍ରଜନନ କ୍ଷେତ୍ରରେ ମଧ୍ୟ ବିଜ୍ଞାନର ଅବଦାନ ଅତୁଳନୀୟ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଡିମ୍ବାଣୁ ଓ ଶୁକ୍ରାଣୁ ବିନା ଷ୍ଟେମ୍ ସେଲ୍ (ମୂଳ କୋଷିକା) ବ୍ୟବହାର କରି ସିନ୍ଥେଟିକ୍ ବା କୃତ୍ରିମ ମନୁଷ୍ୟ ଭ୍ରୂଣ ବିକଶିତ କରିଛନ୍ତି। ବୋଷ୍ଟୋନ୍ରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ସୋସାଇଟି ଫର୍ ଷ୍ଟେମ୍ ସେଲ୍ ରିସର୍ଚ୍ଚସ୍ ବାର୍ଷିକ ସମ୍ମିଳନୀରେ ବୈଜ୍ଞାନିକମାନେ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି।
ଯେଉଁ ଦମ୍ପତି ପିଲା ଜନ୍ମ କରିବାକୁ ଅକ୍ଷମ ବିଶେଷକରି ସେମାନେ ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍)ସାହାଯ୍ୟରେ ସନ୍ତାନ ଜନ୍ମ କରୁଛନ୍ତି। ଏବେ ଷ୍ଟେମ୍ ସେଲ୍ରୁ ସୃଷ୍ଟ ଏହି କୃତ୍ରିମ ଭ୍ରୂଣ ଜରିଆରେ ଆଇଭିଏଫ୍ରେ ବିକଶିତ ଏମ୍ବ୍ରିଓ ସମ୍ବନ୍ଧରେ ଅଧିକ ତଥ୍ୟ ହସ୍ତଗତ ହୋଇପାରିବ। ପ୍ରାକୃତିକ ଉପାୟରେ ମାତୃ ଗର୍ଭାଶୟରେ ବଢ଼ୁଥିବା ଭ୍ରୂଣ ତୁଳନାରେ ମୂଳ କୋଷିକାରୁ ବିକଶିତ ଭ୍ରୂଣ ସାମାନ୍ୟ ଭିନ୍ନ। କୃତ୍ରିମ ଭ୍ରୂଣରେ ହୃଦ୍ସ୍ପନ୍ଦନ, ମସ୍ତିଷ୍କ ବିକଶିତ କୋଷିକା ନ ଥିବାବେଳେ ପ୍ଲାସେଣ୍ଟା, ୟୋକ୍
ସ୍ୟାକ୍ (ଭ୍ରୂଣର ବାହାରପାଖରେ ଥିବା ଆସ୍ତରଣ) ତିଆରି ପାଇଁ ଆବଶ୍ୟକୀୟ ସେଲ୍ ରହିଛି। ତେବେ କେମ୍ବ୍ରିଜ୍ କାଲ୍ଟେକ୍ ଲାବ୍ରେ ବିକଶିତ ସିନ୍ଥେଟିକ୍ ଭ୍ରୂଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ଜର୍ନାଲ୍ ପେପର ପ୍ରସ୍ତୁତ କରାଯାଇନାହିଁ।
ଯେଉଁ ମହିଳା ଏକାଧିକ ଥର ଗର୍ଭପାତର ଶିକାର ହୋଇଆସୁଛନ୍ତି ସେମାନଙ୍କ ଶାରୀରିକ ବ୍ୟତିକ୍ରମ ବାବଦରେ ଜାଣିବା ପାଇଁ ଏହି କୃତ୍ରିମ ଭ୍ରୂଣ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ। ୨୦୨୧ ଏପ୍ରିଲରେ ଲାନସେଟ୍ରେ ପ୍ରକାଶ ପାଇଥିବା ଖବର ଅନୁସାରେ ବିଶ୍ୱରେ ପ୍ରତିବର୍ଷ ୨୩ ନିୟୁତ ଗର୍ଭପାତ ଘଟଣା ସାମ୍ନାକୁ ଆସୁଛି। ଅନ୍ୟପକ୍ଷେ ସିନ୍ଥେଟିକ୍ ଏମ୍ବ୍ରିଓ ଜରିଆରେ ଗର୍ଭାଶୟରେ ବିକଶିତ ଭ୍ରୂଣ ସମ୍ପର୍କିତ ବହୁ କଥା ଜାଣିବାକୁ ମିଳିପାରିବ ବୋଲି ଲଣ୍ଡନ ଫ୍ରାଙ୍କସିସ୍ କ୍ରିକ୍ ଇନ୍ଷ୍ଟିଚ୍ୟୁଟର ଷ୍ଟେମ୍ ସେଲ୍ ବାୟୋଲୋଜି ମୁଖ୍ୟ ରବିନ୍ ଲୋଭେଲ ବାଜ୍ ମତ ପ୍ରକାଶ କରିଛନ୍ତି।