କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ ରଖିଛି। କୃତ୍ରିମ ବୁଦ୍ଧିମତ୍ତା ସ୍ବାସ୍ଥ୍ୟସେବାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇପାରିବ। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ ଯନ୍ତ୍ର ଡାକ୍ତରମାନଙ୍କୁ ଅଧିକ ଠିକ୍‌ ଏବଂ ଶୀଘ୍ର ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ବରୂପ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ଅତି ପ୍ରାଥମିକ ସ୍ତରରୁ ଚିହ୍ନଟ କରି ଏହାକୁ ଭଲ କରିବାରେ ସହାୟକ ହେବ। କୃତ୍ରିମ ବୁଦ୍ଧିମତ୍ତା ନିର୍ଦ୍ଦେଶରେ ପରିଚାଳିତ ନାନୋ ରୋବୋ ଯାହା କି ମାନବ ଶରୀରରେ ପ୍ରବେଶ କରି ନିର୍ଦ୍ଦିଷ୍ଟ ଆଭ୍ୟନ୍ତରୀଣ ଅଙ୍ଗରେ ଜଟିଳ ଅସ୍ତ୍ରୋପଚାର କରିପାରିବ। ଏହାବ୍ୟତୀତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ, ସ୍ମାର୍ଟ ହୋମ ନିର୍ମାଣ, ସ୍ବୟଂଚାଳିତ ଯାନ ପ୍ରସ୍ତୁତି ତଥା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ସମସ୍ତ ବୈଷୟିକ ଜ୍ଞାନକୌଶଳ ପରି କୃତ୍ରିମ ବୁଦ୍ଧିମତ୍ତାର ମଧ୍ୟ ବିପଜ୍ଜନକ ଦିଗ ଅଛି। କୃତ୍ରିମ ବୁଦ୍ଧିମତ୍ତା କେତେକ କ୍ଷେତ୍ରରେ ମନୁଷ୍ୟ ଠାରୁ ଅଧିକ ସକ୍ଷମ ହୋଇଥିବାରୁ ମନୁଷ୍ୟକୁ କର୍ମସଂସ୍ଥାନରୁ ବିସ୍ଥାପନ କରିପାରେ। ତେଣୁ ସବୁଠାରୁ ବଡ଼ ଚିନ୍ତା ହେଉଛି କୃତ୍ରିମ ବୁଦ୍ଧିମତ୍ତା ଚାକିରି କମାଇ ଦେଇ ବେକାରି ବୃଦ୍ଧି କରିପାରେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଗୋପନୀୟତାକୁ ନଷ୍ଟ କରିପାରେ। ଖଳ ପ୍ରକୃତିର ଲୋକ ତଥା ଆପରାଧିକ ତତ୍ତ୍ୱ ଏହାକୁ ସମାଜ ବିରୋଧୀ କାର୍ଯ୍ୟରେ ଲଗାଇପାରନ୍ତି। କୃତ୍ରିମ ବୁଦ୍ଧି ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହା ଆମ ଦୁନିଆକୁ ସର୍ବଶ୍ରେଷ୍ଠ ଉନ୍ନତ ସଭ୍ୟତାରେ ପରିଣତ କରିବାର ସାମର୍ଥ୍ୟ ରଖିଛି ଓ ମନୁଷ୍ୟ ସମାଜର ସୁଖ, ସୁବିଧା ଓ ହିତ ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ। କିନ୍ତୁ ଏହା ଏକ ଦୁଇ ଧାରୁଆ ଅସ୍ତ୍ର, ଯାହାର ବ୍ୟବହାର ଅତି ସାବଧାନତାର ସହିତ କରିବା ଉଚିତ। ପୂର୍ବପରି ଅନ୍ୟାନ୍ୟ ବୈଜ୍ଞାନିକ ଆବିଷ୍କାର ପରି ଏହି ଦୁର୍ଲଭ ଉଦ୍ଭାବନକୁ ଲୋଭ ଓ ସ୍ବାର୍ଥର ବଶବର୍ତ୍ତୀ ହୋଇ ଯଦି ମାନବ ସମାଜ ବ୍ୟବହାର କରେ ତେବେ ଏହା ମାନବ ସମାଜର ପ୍ରଭୂତ କ୍ଷତି କରିପାରେ। ତେଣୁ ଏହାର ସୁବିଧା ଓ ଅସୁବିଧାକୁ ବୁଝି ଏହା ପ୍ରସ୍ତୁତ କରୁଥିବା ଆହ୍ବାନକୁ ସମାଧାନ କଲେ କୃତ୍ରିମ ବୁଦ୍ଧିମତ୍ତା ମାନବ ସଭ୍ୟତାକୁ ସର୍ବଶ୍ରେଷ୍ଠ ବିକଶିତ ସଭ୍ୟତାରେ ପରିଣତ କରିବ।

(ଶେଷ ଭାଗ)
– ଡ. ଦେବାଶିଷ ମହାନ୍ତି, ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦