ସୋନୁ ସୁଦ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର,୩୧।୭: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କୋଭିଡ୍‌ ପରଠାରୁ କୋଟି କୋଟି ଲୋକଙ୍କ ଚିହ୍ନାମୁହଁ ପାଲଟିଯାଇଛନ୍ତି। ଜଣେ ଅଭିନେତା ଭାବେ ଯାହା କିଛି ନାମ ଅର୍ଜନ କରି ନ ଥିଲେ ତା’ଠାରୁ ବେଶି ସେବା ମାଧ୍ୟମରେ ପାଇଛନ୍ତି । ଲୋକଙ୍କ ସେବା କରି ସେ ଯେଉଁ ଆତ୍ମ ସନ୍ତୋଷ ପାଇଛନ୍ତି ତାଙ୍କ ପାଇଁ ସେସବୁ ବଡ ଉପହାର ବୋଲି ସୁଦ୍‌ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ଏହି ମହାନ ଅଭିନେତାଙ୍କ ୪୮ ତମ ଜନ୍ମ ଦିନରେ ଭୁୁବନେଶ୍ୱରର ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ୪୮ଟି ଭିନ୍ନ ଭିନ୍ନ ଚିତ୍ରରେ ଜନ୍ମଦିବସର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଶୁଖିଲା ପତ୍ରଠାରୁ ଆରମ୍ଭକରି ଅଜଳା ଦୀପ ପର୍ଯ୍ୟନ୍ତ ସବୁଥିରେ ସେ ସୋନୁଙ୍କ ସୁନ୍ଦର ଚିତ୍ରକୁ ଏକ ଭିନ୍ନ ଚିନ୍ତାଧାରାରେ ଚିତ୍ରଣ କରିଛନ୍ତି। ସାହାଣୀ ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର । ହେଲେ କରୋନା ସମୟରେ ଚିତ୍ର ଆଙ୍କିବା ନିଶାରେ ପଡ଼ି ସମୟ ଅତିବାହିତ ସହ ଜଣେ ଯୁବ ଚିତ୍ରଶିଳ୍ପୀ ଭାବେ ଅନେକ ସୁନାମ ଓ ପ୍ରଶାଂସପତ୍ର ହାସଲ କରିପାରିଛନ୍ତି। ସେହିଭଳି ସୋନୁଙ୍କୁ ଭଲ ପାଉଥିବା ଲୋକମାନେ ମଧ୍ୟ ନିଜ ନିଜ ଚିନ୍ତାଧାରାରେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

Share