ବେଲଗୁଣ୍ଠା,୧୬।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ମାସନ୍ତ ମେରୁ ଓ ସଂକ୍ରାନ୍ତି ମେରୁ ଦୁଇଟି ପ୍ରଯ୍ୟାୟରେ ସମାପନ ହୋଇଥାଏ । ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଉଢୁରା ପଞ୍ଚାୟତ କୋକଲୁଣ୍ଡା ଗ୍ରାମରେ ମେରୁ ଯାତ୍ରା ଓ କଳାକାର ସମ୍ବର୍ଦ୍ଧନା ସଭା ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଛି । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଯୁବ ପରିଚାଳନା କମିଟି ତରଫରୁ ସବୁ କଳାକାର, ନାଟ୍ୟ ସହଯୋଗୀ ମାନଙ୍କୁ ସେମାନଙ୍କ ନିଷ୍ଠାପର ଯୋଗଦାନ ସକାଶେ ସମ୍ବର୍ଦ୍ଧିତ କରାଯାଇଛି ।
ଚଳିତ ବର୍ଷର ଶ୍ରୀ ବିଶ୍ୱନାଥ ନାଟ୍ୟ ସଂଘ, କୋକଲୁଣ୍ଡା ଦ୍ୱାରା ପରିବେଷିତ ନାଟକ “କିଏ କାନ୍ଦି ନାହଁ ହାତ ଟେକ” ସବୁଆଡେ ପ୍ରଶଂସା ସାଉଁଟିଛି । ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଧେଶକ ଶାନ୍ତନୁ ଓଝାଙ୍କ ବଳିଷ୍ଠ ନିର୍ଦ୍ଧେଶନା,ଉଚ୍ଚଶିକ୍ଷିତ କଳାକାର, ଉତ୍ତମ ସାହିତ୍ୟିକ ସଂଳାପ ସହିତ ମେଲୋଡିର ଶାଳୀନତା,ଶୃଙ୍ଖଳା ଓ ଭଗବାନଙ୍କ ଗୁଣ କୀର୍ତ୍ତନ କାର୍ଯ୍ୟକ୍ରମ ମଞ୍ଚର ଗାରିମାକୁ ବହୁଗୁଣିତ କରୁଥିଲା । ଯୁବ ପରିଚାଳନା କମିଟିଙ୍କ ଏହି ସାଂସ୍କୃତିକ ଆଭିମୁଖ୍ୟ ବରିଷ୍ଠ ବ୍ୟକ୍ତି ମାନଙ୍କୁ ବେଶ ପ୍ରଭାବିତ କରିଛି । ଯୁବ ପରିଚାଳନା କମିଟି ରମେଶ, କିରଣ, କାଳିଚରଣ, ରୁଦ୍ର, ରାଜେଶ ବରା , ମୁନା, ବାବୁଲି, ସ୍ବସ୍ତି ସୁନ୍ଦର, ସଞ୍ଜୟ, ବିକ୍ରମ, ଟୁକୁନା, କାଳୁଚରଣ,ଚିତ୍ରସେନ, ଦୀପକ, ଭାବଗ୍ରାହୀ, ରବୀନ୍ଦ୍ର, ରାଜେଶ ପ୍ରଧାନ, ବିଷ୍ଣୁ, ମିଟୁ, ସାଗର, ସଚିନ, ପବିତ୍ର କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ଗ୍ରାମର ପ୍ରତ୍ୟେକ ଗ୍ରାମବାସୀଙ୍କୁ ଅର୍ପଣ କରିଛନ୍ତି । ସନ୍ଧ୍ୟା ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମକୁ ସ୍ବସ୍ତି ସୁନ୍ଦର ସଂଯୋଜନା କରିଥିବା ବେଳେ ରାଜେଶ ବରା ଧନ୍ୟବାଦ ଜ୍ଞାପନ କରିଥିଲେ।