ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଚିତ୍ରଶିଳ୍ପୀ କ୍ରୀତିକ୍ରିଷ୍ଣା

ଧାମନଗର,୧୫ା୩ (ସନ୍ତୋଷ କୁମାର ମହାପାତ୍ର):ପିଲାଟି ବେଳୁ ଚିତ୍ରକଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଧୀରେ ଧୀରେ ଏଥିପ୍ରତି ଆଗ୍ରହ ବଢ଼ିବା ସହ ଜୀବନ୍ତ ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଥିଲେ। ଆଉ ଏହି ପ୍ରତିଭା ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ଦେଇଛି। ବ୍ଲକସ୍ତରରୁ ଜିଲା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଲାଭ କରିବା ସହ ଅନ୍ତର୍ଜାତୀୟସ୍ତରରେ ଭାଗ ନେଇ ମଧ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଭା ଯୋଗୁ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୪ରେ ସ୍ଥାନ ପାଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କଟସାହି ପଞ୍ଚାୟତ ବଉଳନାଳି ଶାସନର ଚିତ୍ରଶିଳ୍ପୀ କ୍ରୀତିକ୍ରିଷ୍ଣା ପଣ୍ଡା(୧୯)।ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରମାନାଥ ପଣ୍ଡାଙ୍କ ଅଣନାତୁଣୀ, ଆଇନଜୀବୀ ସ୍ନେହାଶିଷ ପଣ୍ଡା ଓ ଶାଖା ଡାକ ଅଧିକାରିଣୀ ତିଳୋତ୍ତମା ମିଶ୍ରଙ୍କ ବଡ଼ଝିଅ କ୍ରୀତିକ୍ରିଷ୍ଣା। ସେ ଏବେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଡିଗ୍ରୀର ଦ୍ୱିତୀୟ ବର୍ଷ ଛାତ୍ରୀ। ଜଣେ ସଫଳ ଚିତ୍ରଶିଳ୍ପୀ ହେବା ପାଇଁ ସେ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମୟରେ ଶ୍ରୀରାମଙ୍କ ଚିତ୍ର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିବାବେଳେ ଗତ ୧୨ ତାରିଖରେ ହରିୟାଣା ଫରିଦାବାଦରୁ ଡାକ ଯୋଗେ ଆସିଥିବା ମେଡାଲ ତାଙ୍କ ପାଖରେ ପହଞ୍ଚତ୍ଛି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଆଗକୁ ଚିତ୍ର ମାଧ୍ୟମରେ କୁସଂସ୍କାର, ନାରୀ ନିର୍ଯାତନା ଆଦିକୁ ରୋକିବା ନେଇ ଚେଷ୍ଟା କରିବେ ବୋଲି କ୍ରୀତିକ୍ରିଷ୍ଣା କହିଛନ୍ତି।

Share