ଭୁବନେଶ୍ୱର,୫ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର କଳାକାରମାନଙ୍କୁ ଦିଆଯାଉଥିବା ଭତ୍ତା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରାଯିବ। ରାଜ୍ୟସ୍ତରରୁ ସିଧାସଳଖ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସମସ୍ତ କଳାକାରଙ୍କୁ ପ୍ରତ୍ୟେକ ମାସରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ରାଶି ଜମା କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରୁ ଏହି ବ୍ୟବସ୍ଥା ଲାଗୁ କରାଯିବ।
ଏହି ପ୍ରକ୍ରିୟାରେ କଳାକାରମାନଙ୍କର ଆଧାରକାର୍ଡକୁ ସଂଯୋଗ କରାଯିବ। ଜିଲାସ୍ତରରେ ସଂସ୍କୃତି ଅଧିକାରୀମାନେ ଲାଇଫ୍ ସାର୍ଟିିଫିକେଟ ପ୍ରତି ମାସରେ ଅପ୍ଡେଟ କରିବେ। ଏଥିସହିତ କେଉଁ ହିତାଧିକାରୀଙ୍କ ମୃତ୍ୟୁ ହୋଇଛି ସେ ନେଇ ଜଣାଇବେ। ଯଦି କାୈଣସି ସଂସ୍କୃତି ଅଧିକାରୀ ଏହାକୁ ଖିଲାପ କରିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଭତ୍ତା ସ୍ବଚ୍ଛତା ବଜାୟ ରହିବ । ପ୍ରତ୍ୟେକ ମାସରେ କଳାକାରମାନେ ନିୟମିତ ଭତ୍ତା ପାଇପାରିବେ ବୋଲି ସେ କହିଛନ୍ତି।
କଳାକାରମାନଙ୍କୁ ଜିଲାସ୍ତରରେ ଭତ୍ତା ପ୍ରଦାନ କରାଯାଉଛି। ଅନେକ ସମୟରେ କଳାକାର ଭତ୍ତା ପ୍ରଦାନରେ ବିଳମ୍ବ ଓ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ମୃତ ଲୋକଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ କଳାକାରମାନଙ୍କୁ ସିଧାସଳଖ ରାଜ୍ୟସ୍ତରରୁ ପ୍ରଦାନ କରାଯିବ। ରାଜ୍ୟରେ ଏବେ ସୁଦ୍ଧା ୫୫ ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଆହୁରି ୧୫ ହଜାର କଳାକାର ଭତ୍ତା ପାଇବାକୁ ଆବେଦନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କଳାକାରମାନଙ୍କୁ ଜିଲାସ୍ତରରେ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ତେବେ ଭତ୍ତା ପ୍ରଦାନରେ ଅନେକ ସମୟରେ ଜିଲାରେ ଅବହେଳା କରାଯାଉଛି। ହିତାଧିକାରୀମାନଙ୍କୁ ୩/୪ ମାସରେ ଥରେ ଭତ୍ତା ମିଳୁଛି। ଏହାକୁ ନେଇ ହିତାଧିକାରୀମାନେ ଜିଲାସ୍ତରରେ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଏହି ସମସ୍ୟାକୁ ଦୂର କରିବା ଲାଗି ସଂସ୍କୃତି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।