Categories: ଫୁରସତ

କୋଣାଦିତ୍ୟର କଳାକୃତି ପାଇଁ ଅଖଣ୍ଡ ଓଡ଼ିଶାର ଶିଳ୍ପୀ ସାମିଲ ଥିଲେ

କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଅଖଣ୍ଡ ଓଡ଼ିଶାର ଅବଦାନ ଥିଲା। ଓଡ଼ିଶାରୁ ଅଲଗା କରାଯାଇ ଅନ୍ୟ ପ୍ରଦେଶରେ ଯେଉଁ ଅଞ୍ଚଳଗୁଡ଼ିକୁ ମିଶାଇ ଦିଆଯାଇଛି, ସେମାନଙ୍କର ବି ଅବଦାନ ଥିଲା। ଯେମିତି ଆନ୍ଧ୍ରପ୍ରଦେଶରେ ମିଶିଥିବା ଅଞ୍ଚଳର ରାଜା, ଖଣ୍ଡପାଳଗଡ଼ର ନାୟକମାନେ ନିର୍ବିକାର ଭାବରେ ସେତେବେଳେ ସହଯୋଗର ହାତ ବଢ଼ାଇଥିଲେ। କଳାହାଣ୍ଡିର ଧର୍ମଗଡ଼ ଦଳବେହେରା ୨,୩୦୪ଟି କାଠ କଡ଼ି ପଠାଇଥିଲେ ପୁଣି ଦେବଗଡ଼ ଅଧିକାରୀଙ୍କ ମାର୍ଫତରେ। ବାରଙ୍ଗଗଡ଼ର ବିଶୋଇ ୧୭୦୦ ବଡ଼ ପାଟଶାରଙ୍ଗି ବାଉଁଶର ଦଣ୍ଡ ରଣପୁରରୁ ଆଣି ପହଞ୍ଚାଇଥିଲେ।
ମନ୍ଦିର ନିର୍ମାଣ ପାଇଁ ରାଜାଙ୍କ ନିଯୁକ୍ତ ବ୍ୟକ୍ତି ବିଶେଷ କେବଳ କାମ କରୁଥିଲେ ତାହା ନୁହେଁ, ଗୋଲରାଗଡ଼ର ଦଳବେହେରା ଗଡ଼ ପକ୍ଷରୁ ୮୦ ଜଣଙ୍କୁ ନିଯୁକ୍ତ କରିଥିଲେ। ଯେଉଁମାନେ ଶିଳ୍ପୀମାନେ କାମ କରୁଥିବା ସ୍ଥାନରେ ଛୋଟ ଛୋଟ କୁଟିର ନିର୍ମାଣ କରିଥିଲେ। ସହଯୋଗ ସମସ୍ତଙ୍କର ଥିଲା।
ସହଯୋଗର ହାତ ବଢ଼ାଇଥିବା ଏମିତି କେତେଜଣ ଐତିହ୍ୟ ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କର ପରିଚୟ ପାଇଁ ଆମେ ଅନୁସନ୍ଧାନ ଚଳାଇଛୁ। ଶ୍ରୀରଥସିଂହଙ୍କ ପରିଚୟ ଜାଣିପାରିନୁ। ସେ ଦେଇଥିଲେ ୨୦୦ ମାଢ଼ ଗଙ୍ଗ ସ୍ବର୍ଣ୍ଣମୁଦ୍ରା, ୨୦ ଭରଣ ଚାଉଳ, ୧୮ ପଉଟି ଧାନ, ୧୧ ପଉଟି ମୁଗ, ୮ ପଉଟି ବିରିଡାଲି, ୧୦୦ ଯୋଡ଼ା ଲୁଗା ପ୍ରଭୃତି। ଏହାବାଦ ସୂତ୍ରଧର ଓ ପୁରୋହିତଙ୍କ ପାଇଁ ସ୍ବତନ୍ତ୍ର ପାଟମକୁଟ। ଶ୍ରୀରଥ ସିଂହ ନିଶ୍ଚୟ ରାଜା ଥିଲେ। କାରଣ ୩ଟି ଶଗଡ଼ରେ ହରିପୁରିଆ ବଳଦ ଯୋଚି ଏସବୁ ଜିନିଷ ତାଙ୍କ ଭାଇ କୋଣାର୍କରେ ପହଞ୍ଚାଇଥିଲେ। ତାଙ୍କୁ କୁଣ୍ଡଳ ଓ ସୁନା ଚେନ୍‌ ସମ୍ମାନ ସ୍ବରୂପ ଦିଆଯାଇଥିଲା।
ତିଗଡ଼ ମଣ୍ଡଳ ରାଜା ଶିଳ୍ପୀଙ୍କ ପାଇଁ ପଠାଇଥିଲେ ୫୦ ଯୋଡ଼ା ଧୋତି। ତିଗଡ଼ ବୋଧହୁଏ ବର୍ତ୍ତମାନ ତିଗିରିଆ। ମୟୂରଭଞ୍ଜ ରାଜା ଲୁହାମୁଣ୍ଡା ପଠାଇଥିଲେ ୫ଟି ମଇଁଷି ଗାଡ଼ିରେ। ଯାହା କୋଣାର୍କରେ ତରଳାଯାଉଥିଲା। ତରଳାଇବା ପାଇଁ ୭୨ଜଣ ଓଝା ଦିନରାତି ପରିଶ୍ରମ କରୁଥିଲେ। ଓଝାମାନଙ୍କର ଠିକଣା ମଧ୍ୟ କେତେକାଂଶରେ ମିଳୁଛି। ସେମାନେ ତରଳା ଲୁହାକୁ ଛାଞ୍ଚରେ ଢାଳୁଥିଲେ। ଢଳେଇ କାରଖାନାଟିଏ ନିର୍ମାଣ ହୋଇଥିଲା କୋଣାର୍କରେ। ଏହାର ମୁଖିଆ ଥିଲେ ଶ୍ରୀମାଧବ ଓଝା। ଏଇଠି ଲୁହା ସହିତ ସୀସା ମିଶୁଥିଲା। ନିଆଁ ଭାଟି ଚବିଶ ଘଣ୍ଟା ଜଳୁଥିଲା। ‘ଟାଙ୍ଗଣା’ ମଧ୍ୟ ତରଳାଲୁହାରେ ମିଶାଯାଉଥିଲା। ଶେଷରେ ଶ୍ରୀ ବୀର ଓଝା ଛାଞ୍ଚରେ ଢାଳି ଲୁହା ଖମ୍ବ ପ୍ରସ୍ତୁତ କରୁଥିଲେ।
ଶିଳ୍ପୀ ଆମର, ମହାରଣା ଆମର, ପଥୁରିଆ ଆମର, ଚାପ ଦଳେଇ ଆମର, ଶଗଡ଼ିଆ, ହାତୀଆଳ, ଘୋଡ଼ା ସବାର, କମାର, ଓଝା ଆମର। ସହଯୋଗ ଯେଉଁମାନେ କରିଛନ୍ତି ସମସ୍ତେ ଓଡ଼ିଶାର। ଅଥଚ… ମନ୍ଦିର ଆମେ ଗଢ଼ିନୁ! ଗଢ଼ିଲେ ବାହାର ଲୋକ!!
‘ପରଙ୍ଗବିଶେ’ର ବୀର ସାନ୍ତ, ଯିଏ ୨୪ଶଗଡ଼ ଧାନ ପଠାଇଛନ୍ତି ବଢ଼େଇଙ୍କ ପାଇଁ, ମୟୂରଭଞ୍ଜ ରାଜା ପଠାଇଛନ୍ତି ‘ଭେଜିମାଟି’ କାଦୁଅ ଲୁହା ଛାଞ୍ଚରେ ଢଳାଯିବା ପାଇଁ, କ’ଣ ତାଙ୍କର ଦରକାର ଥିଲା! କ’ଣ ପାଇଁ ଢେଙ୍କାନାଳ ରାଜା ଶ୍ରୀ ରାଜସିଂହ ଦେବ ପଠାଇଥିଲେ ନିଜ ରାଜ୍ୟରୁ ପଥୁରିଆ! କେବଳ ସେତିକି ନୁହେଁ, କଟକର ବିରିବାଟି, ପୁରୀର ଛଇତନା, ବାଲେଶ୍ୱରର ରେମୁଣାପାଟ, ନୟାଗଡ଼, ଏକାମ୍ର ଓ ମୟୂରଭଞ୍ଜରୁ ୧୯୫ଜଣ ଶିଳ୍ପୀ କୋଣାର୍କରେ ପହଞ୍ଚତ୍ଥିଲେ କ’ଣ ମନକୁ ମନ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Share