Categories: ଜାତୀୟ

ବଙ୍ଗଳା ଛାଡ଼ୁନାହାନ୍ତି ଅରୁଣ ମିଶ୍ର

ନୂଆଦିଲ୍ଲୀ, ୨୮ା୪: ଅବସରର ପ୍ରାୟ ୭ ମାସ ପରେ ବି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର। ନୂଆଦିଲ୍ଲୀର ଆକବର ରୋଡ୍‌ସ୍ଥିତ ବଙ୍ଗଳାରେ ରହିବା ଅବଧିକୁ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ମିଶ୍ରଙ୍କ କହିବା ଅନୁଯାୟୀ, କ୍ରମାଗତ ଭାବେ ତାଙ୍କ ପରିବାରରେ ସମସ୍ୟା ଲାଗିରହିଛି। ଜଣେ ପରେ ଜଣଙ୍କ ମୃତ୍ୟୁ ଘଟୁଥିବାରୁ ସେ ଘର ଛାଡ଼ିପାରୁନାହାନ୍ତି। ଗତ ବର୍ଷ ସେପ୍ଟେମ୍ବର ୨ରେ ଅବସର ନେବା ପରେ ୪ ସମ୍ପର୍କୀୟଙ୍କ ଦେହାନ୍ତ ହେବାରୁ ଜାନୁୟାରୀ ପର୍ଯ୍ୟନ୍ତ ସେ ଉକ୍ତ ବଙ୍ଗଳାରେ ରହିଥିଲେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିଲେ। କିନ୍ତୁ ଗତ ସପ୍ତାହରେ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନରେ ଅଛନ୍ତି। ତେଣୁ ସର୍ବୋଚ୍ଚ କୋର୍ଟ ତାଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସେଠାରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ନେଇ କୌଣସି ଜବାବ ରଖାଯାଇନାହିଁ।

Share