ଭୁବନେଶ୍ୱର,୨୫।୭: ବିଧାନସଭା ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ହେଲେ ଆଜି ବି ଗୃହ ସୁରୁଖୁରୁରେ ଚାଲିପାରିନାହିଁ। ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ନବୀନଙ୍କୁ ଗିରଫ କରାଯାଉ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଅରୁଣ କହିଛନ୍ତି ସାହସ ଅଛି ଯଦି ନବୀନଙ୍କୁ ଗିରଫ କର। ଏହାର ଜବାବ ଦେଇ ସଂସଦୀୟ ମନ୍ତ୍ରୀ କହିଛନ୍ତି, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲା ଭଳି କିଛି କଥା କହିନାହିଁ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦାବି କରିଛନ୍ତି। ମଙ୍ଗଳବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସେ କହିଛନ୍ତି ଯେ, ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରିବା ଆବଶ୍ୟକ ।