ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଅରୁଣ ସ୍ତମ୍ଭ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଓଡ଼ିଶାର ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରସିଦ୍ଧ ଦ୍ବିତୀୟ କାଷ୍ଠ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଅରୁଣ ସ୍ତମ୍ଭଟି ଟ୍ରକ୍‌ ଧକ୍କାରେ ଭାଙ୍ଗି ମୁଖଶାଳା ଉପରେ ପଡ଼ିବାରୁ ଉପରେ ଥିବା ଅରୁଣ ମୂର୍ତ୍ତିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଦୀର୍ଘ ଦୁଇ ଶହରୁ ଅଧିକ ବର୍ଷର ପୁରୁଣା ଖଣ୍ଡୋଲାଇଟ୍‌ ଷ୍ଟୋନ୍‌ରେ ନିର୍ମିତ ବିଶାଳକାୟ ଅରୁଣ ସ୍ତମ୍ଭଟିର ଭଗ୍ନ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି। ପ୍ରାୟ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ସ୍ତମ୍ଭର ୫ ଫୁଟରୁ ଅଧିକ ଅଂଶ ମାଟିରେ ପୋତି ହୋଇ ରହିଥିଲେ ହେଁ ଅବଶିଷ୍ଟ ଦୃଶ୍ୟମାନ ଅଂଶ କିଭଳି ଟ୍ରକ୍‌ ଧକ୍କାରେ କିଭଳି ଭାଙ୍ଗିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

ପ୍ରକାଶ ଯେ, ଶନିବାର ଏକ ସାର ବୋଝେଇ ଟ୍ରକ୍‌ (ନଂ- ଓଆର୍‌ ୦୭ କେ ୯୯୪୧) ପୋଲସରା ପଟୁ ଆସି ବୁଗୁଡ଼ା ବଡ଼ଦାଣ୍ଡରେ ପଶିଥିଲା। ତେବେ ବଡ଼ଦାଣ୍ଡରେ ପଞ୍ଚ ଠାକୁରାଣୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ କରାଯାଇଥିବାରୁ ଟ୍ରକ୍‌ଟି ଆଉ ଆଗକୁ ଯାଇ ନ ପାରି ପଛକୁ ଆସିବାକୁ ବାଧ୍ୟ ହୋଇଥିଲା। ଏହି ସମୟରେ ଉକ୍ତ ଅରୁଣ ସ୍ତମ୍ଭଟିକୁ ଧକ୍କା ଦେଇଥିଲା। ଏ ନେଇ ବିରଞ୍ଚି ନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରାଇବା ସହ ବୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ଟ୍ରକ୍‌ଟିକୁ ଜବତ କରିବା ସହ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖିଥିବା ଜଣାଯାଇଛି। ଉକ୍ତ ଭଗ୍ନ ଅରୁଣ ସ୍ତମ୍ଭର ପୁନଃ ସ୍ଥାପନ କାର୍ଯ୍ୟ ଯଥାଶୀଘ୍ର କରାଯିବା ନେଇ ସାଧାରଣରେ ଦାବି ହୋଇଥିବା ଜଣାଯାଇଛି।