ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

କଟକ,୩୧।୧୨: ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ରବିବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ଷଡଙ୍ଗୀ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ଦାୟିତ୍ୱରେ ରହିବେ।
୧୯୯୦ ବ୍ୟାଚ୍‌ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଶନିବାର ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ। ପୂର୍ବରୁ ସେ ସ୍ପେଶାଲ ଡିଜି ଅଫ୍‌ ପୋଲିସ, ଟ୍ରେନିଂ ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଅଛନ୍ତି। ଏଥିସହ ସେ ପୋଲିସ ବିଭାଗର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଡିସେମ୍ବର ୩୧ରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବାପରେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ପୋଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ୧୯୮୮ ବ୍ୟାଚ୍‌ର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ଏ.ଏମ୍‌.ପ୍ରସାଦ, ବି. ରାଧିକା, ଏସ୍‌.ଏମ୍‌. ନରୱଣେ ଏବଂ ୧୯୯୦ ବ୍ୟାଚ୍‌ର ୱାଇ.ବି. ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି।

Share