ଭୁବନେଶ୍ୱର,୩।୯(ବ୍ୟୁରୋ): ସ୍ନାତକ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ରେଜଲ୍ଟ ଶୀଘ୍ର ବାହାର କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହାର ଉତ୍ତର ରଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଗୁରୁବାର ମନ୍ତ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ଜୁଲାଇ ମାସରେ ୟୁଜିସି ଗାଇଡ୍ଲାଇନ ଅନୁଯାୟୀ ଅଗଷ୍ଟ ୩୧ ସୁଦ୍ଧା ସ୍ନାତକ ପରୀକ୍ଷା ଶେଷ କରିବା ପାଇଁ କୁହାଯାଇଥିଲା। ସେହିପରି ସେପ୍ଟେମ୍ବର ୩୦ ସୁଦ୍ଧା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ଶେଷ ଏବଂ ଅକ୍ଟୋବର ୧ ସୁଦ୍ଧା ପାଠପଢ଼ା ଆରମ୍ଭ ହେବାକୁ ନିର୍ଦ୍ଦେଶ ଥିଲା। ଏହି ଅନୁସାରେ ରାଜ୍ୟର ସମସ୍ତ ସ୍ନାତକ ଶେଷ ବର୍ଷ ପରୀକ୍ଷା ଗତ ୩୧ ତାରିଖ ସୁଦ୍ଧା ଶେଷ ହୋଇଛି।