ଅନୁଗୋଳ ଅଫିସ୍, ୧୯ା୭: ଅରୁଣାଚଳ ପ୍ରଦେଶରୁ ଚୋରା ମଦ ଆଣି ଅନୁଗୋଳରେ ପସରା ମେଲାଇଛନ୍ତି ମାଫିଆ। ୫୦ ଟଙ୍କାରେ କିଣି ବେପାରୀଙ୍କୁ ସେହି ମଦ ଦେଢଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରି ସେମାନେ ମାଲାମାଲ ହେଉଛନ୍ତି। କରୋନା ପାଇଁ ଲକ୍ଡାଉନ କଟକଣା ମାଫିଆଙ୍କୁ ସୁହାଉଥିବାରୁ ବେପାର ବଢୁଛି। ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଶନିବାର ତୁରଙ୍ଗ ଦୁର୍ଗାବିହାର ଅଞ୍ଚଳରେ ଚଢ଼ାଉବେଳେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ପରେ ଏହି ଘଟଣା ଜଣାପଡିଛି। ଚଢ଼ାଉରେ ଜରାସିଂହା ଗ୍ରାମର ସିତୁ ଓରଫ ଗଜେନ୍ଦ୍ର ସାହୁ(୩୬) ଓ କୁମଣ୍ଡ ଚଣ୍ଡୀବଜାରର ଅଜୟ କୁମାର ବେହେରା(୩୦)ଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ଏକ କାର୍ (ନଂ. ଓଡି-୧୯-ଇ-୦୦୫୬), ୭୨୦ ବୋତଲ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଅବକାରୀ ଏସ୍ପି କ୍ରିଷ୍ଣା ନାୟକ ସୂଚନା ପ୍ରଦାନ କରିଛନ୍ତି।
ଅନୁଗୋଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍ ଓ ସଦର ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ। ପାଖାପାଖି ୧୨୯ ଲିଟର ବିଦେଶୀ ମଦ ଜବତ ହୋଇଥିବା ଅବକାରୀ ମୋବାଇଲ ଟିମ୍ ଇନ୍ସପେକ୍ଟର କୃଷ୍ଣ ଶଙ୍କର ତିୱାରୀ ସୂଚନା ଦେଇଛନ୍ତି। ଏହାର ଅନୁମାନିକ ମୂଲ୍ୟ ଓଡ଼ିଶାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଅନୁଗୋଳ ସହର ସହ ତାଳଚେର, ପରଜଙ୍ଗ, ସମଲ ପ୍ରଭୃତି ଅଞ୍ଚଳରୁ ଚୋରା ମଦ ବ୍ୟବସାୟୀମାନେ ସେମାନଙ୍କ ନିକଟରୁ ମଦ କିଣିଥାନ୍ତି। ତେବେ ଏହି ମଦ ସିଧାସଳଖ ଅରୁଣାଚଳ ପ୍ରଦେଶରୁ ନ ଆଣି ଭୁବନେଶ୍ୱରରୁ ନେଉଥିବା ଅଭିଯୁକ୍ତ ଦ୍ୱୟ ପଚରାଉଚରା ବେଳେ ମାନିଛନ୍ତି। ଟ୍ରାନ୍ସପୋର୍ଟିଂ ଗାଡ଼ିରେ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ସ୍ଥାନରେ ମଦ ଗଚ୍ଛିତ ରଖାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବିଭାଗକୁ ସୂଚନା ମିଳିଛି। ଅରୁଣାଚଳପ୍ରଦେଶରେ ଅବକାରୀ ନନ୍-ଡ଼୍ୟୁଟି ପେଡ୍ କମ୍ ଥିବାରୁ ସେଠାରେ ମଦ ଦର କମ୍ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲରୁ ଜୁନ୍ ଶେଷ ପର୍ଯ୍ୟନ୍ତ ଏହି ବେପାର ଜୋରଦାର ହୋଇଥିବାବେଳେ ପୁଣି ୧୪ ପେଟି ମଦ ୪ରୁ ୫ ଦିନ ହେବ ଭୁବନେଶ୍ୱରକୁ ଯାଇ ଆଣିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜବତ ମଦ ଅସଲି କି ବାହାରେ ପ୍ରସ୍ତୁତ କରାଯାଇ ଅରୁଣାଚଳପ୍ରଦେଶ ଷ୍ଟିକର ମରାଯାଇଛି ଏହାର ଯାଞ୍ଚ ପାଇଁ ଭୁବନେଶ୍ୱର କେମିକାଲ ଲାବୋରେଟୋରିକୁ ପଠାଯିବ ବୋଲି ଅବକାରୀ ଅଧିକାରୀ ତିୱାରୀ କହିଛନ୍ତି। ବିଭାଗର ଜାକିର ହୁସେନ୍, ସନ୍ତୋଷ ସାହୁ, ସରୋଜ ସାହୁ, ପ୍ରସନ୍ନ ତ୍ରିପାଠୀ, ମମତା ପଲାଇ, କୁନ୍ତଳା ବେହେରା ପ୍ରମୁଖ ଚଢ଼ାଉ କରିଥିଲେ।