ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ

ବାଲେଶ୍ୱର, ୧୨ା୧୨(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ଥାନା ବାଲଗୋପାଳପୁର ଅଞ୍ଚଳରୁ ଜବତ ହୋଇଛି ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଟଙ୍କାର ମଦ। ଜଳେଶ୍ୱର କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଓ ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏହି ମଦ ଜବତ କରାଯାଇଛି। ବ୍ୟବସାୟୀମାନେ ଅନ୍ୟ ରାଜ୍ୟରୁ କମ୍‌ ଦାମ୍‌ରେ ମଦ କିଣି ବାଲେଶ୍ୱର ଜିଲା ସମେତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅଧିକ ଦାମ୍‌ରେ ବିକ୍ରି କରି ମାଲାମାଲ ହେଉଛନ୍ତି। ଫଳରେ ଓଡ଼ିଶା ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଅନ୍ୟ ରାଜ୍ୟରୁ କିପରି ଏହି ମଦ ଓଡ଼ିଶା ପହଞ୍ଚୁଛି ଏହା ଉପରେ କେବେ ବି ଚଢ଼ାଉ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରେମୁଣା ଥାନା ବାଲଗୋପାଳପୁର ଅଞ୍ଚଳର ଜଣେ ଚୋରା ମଦ ବେପାରୀଙ୍କ ବିକ୍ରୟସ୍ଥଳ ଏବଂ ଘର ଉପରେ ଚଢାଉ କରାଯାଇ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଉଦ୍ଦିଷ୍ଟ ୨୦ପେଟି (୧୮୮ ଲିଟର) ମଦ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୮୮ହଜାର ଟଙ୍କା ହେବ। ପୁରୁଷୋତ୍ତମପୁର ଅଞ୍ଚଳର ଚୋରା ମଦ ବ୍ୟବସାୟୀ ପ୍ରଶାନ୍ତ ଜେନା(୩୨) ଓ କର୍ମଚାରୀ ଗଜେନ୍ଦ୍ର ସାହୁ (୪୫) ଗିରଫ ହୋଇଛନ୍ତି। ଏନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଜଳେଶ୍ୱର ଥାନାରେ ମାମଲା (ନଂ. ୧୭୩/୨୦୨୩-୨୪) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଏହା ଏଠାକୁ କିପରି ଆସୁଥିଲା ଏବଂ କେତେଦିନ ଧରି ସେମାନେ ଏହି ବେପାର କରିଆସୁଥିଲେ ସେନେଇ ତଦନ୍ତ ଚାଲିଥିବା ଜିଲା ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଚଢ଼ାଉରେ ଜିଲା ଅବକାରୀ ଅଧୀକ୍ଷକ ପାଢ଼ୀ, ଜଳେଶ୍ୱର କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଅଧିକାରୀ ସତ୍ୟଜିତ୍‌ ଖଟୁଆ, ନୀଳଗିରି ଅବକାରୀ ବିଭାଗ ଇନ୍ସପେକ୍ଟର ଗାଲୁରାମ ସୋରେନ, ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଅଧିକାରୀ କେଶବ ଦାସ ପ୍ରମୁଖଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସାମିଲ ଥିଲେ।
ଅପରପକ୍ଷରେ ଯେଉଁ ମଦ ବ୍ୟବସାୟୀମାନେ ସରକାରୀ ମଦ ଦୋକାନ ନିଲାମରେ ପ୍ରାପ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ୟ ରାଜ୍ୟର ମଦ ବ୍ୟବସାୟୀଙ୍କ ସହ ସମ୍ପର୍କ ରଖି ଟ୍ରାନ୍ସପୋର୍ଟ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ମଦ ଆଣି ବର୍ଷ ବର୍ଷ ଧରି କାରବାର କରିଆସୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଟ୍ରାନ୍ସପୋର୍ଟ ମାଧ୍ୟମରେ କୌଣସି ଟ୍ରକ୍‌ ଅରୁଣାଚଳ ପ୍ରଦେଶ ଯାଇ ଫେରିବା ସମୟରେ ମଦ ବ୍ୟବସାୟୀମାନେ ସେମାନଙ୍କ ସହ ଯୋଗାଯୋଗ କରି ଲକ୍ଷାଧିକ ଟଙ୍କାର ମଦ ଆଣି ରେମୁଣା ଅଞ୍ଚଳରେ ରଖି ବିକ୍ରି କରୁଥିବା ଚର୍ଚ୍ଚା ହେଉଛି। ଅବକାରୀ ବିଭାଗର କେନ୍ଦ୍ରାଞ୍ଚଳ ଇନଫର୍ମେଶନ୍‌ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ ଉକ୍ତ ମାମଲାର ତଦନ୍ତ କରିବାର ସୂଚନା ମିଳିଛି।