ନୂଆଦିଲ୍ଲୀ,୧୭।୧୧(ପି.ଟି.): ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ବୀର୍ମାନିଙ୍କୁ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୀର୍ମାନି ୨୦୦୭ରୁ ୨୦୦୯ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୩ ଫେବୃୟାରୀରୁ ୨୦୧୬ ଅଗଷ୍ଟ ପର୍ଯ୍ୟନ୍ତ ଭାରତର ରିଜର୍ଭ ବ୍ୟାଙ୍କ ର ମୁଦ୍ରାନୀତି ଟେକ୍ନିକାଲ ଆଡଭାଇଜରି କମିଟି ସଦସ୍ୟ ରହିଥିଲେ।
ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନର ପ୍ରତିନିଧିତ୍ୱ କରୁଥିଲେ। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ଫାଉଣ୍ଡେଶନ ଫର୍ ଇକୋନୋମିକ୍ ଗ୍ରୋଥ୍ ଆଣ୍ଡ ଓ୍ବେଲ୍ଫେୟାରର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବୀର୍ମାନିଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ନୀତି ଆୟୋଗରେ ଭି.କେ. ସାରସ୍ବତ, ରମେଶ ଚନ୍ଦ୍ର ଏବଂ ଭି.କେ. ପୌଲ ସଦସ୍ୟ ରହିଛନ୍ତି।