Categories: ଜାତୀୟ

ଦିଲ୍ଲୀ ଅଧ୍ୟାଦେଶ ହେଉଛି କେନ୍ଦ୍ରର ଏକ ପରୀକ୍ଷଣ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୬: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦୃଷ୍ଟିରେ ରଖି ବିହାରର ପାଟନାରେ ଜୁନ ୨୩ରେ ବିରୋଧୀ ଦଳର ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ବିରୋଧୀ ନେତାମାନଙ୍କୁ ଏକ ଚିଠି ଲେଖିଛନ୍ତି।

ବିରୋଧୀ ଦଳର ଏହି ବୈଠକରେ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଥମେ ସଂସଦରେ ଦିଲ୍ଲୀ ଅଧ୍ୟାଦେଶକୁ ପରାସ୍ତ କରିବାର ରଣନୀତି ଉପରେ ଆଲୋଚନା କରିବା ଉଚିତ୍‌ ବୋଲି କହିଛନ୍ତି। କେଜ୍‌ରିଓ୍ବାଲ ଏହି ଚିଠିରେ ଦାବି କରିଛନ୍ତି ଯେ, ଯଦି ଦିଲ୍ଲୀ ଅଧ୍ୟାଦେଶର ବ୍ୟବହାର ସଫଳ ହୁଏ, ତେବେ କେନ୍ଦ୍ର ସରକାର ମଧ୍ୟ ଅଣ-ଭାଜପା ଶାସିତ ରାଜ୍ୟମାନଙ୍କରେ ଏଭଳି ନିୟମ ଆଣି ରାଜ୍ୟ ସରକାରଙ୍କ ଅଧିକାର ଛଡ଼ାଇ ନେବେ।

ଚିଠିରେ କେଜ୍‌ରିଓ୍ବାଲ କହିଛନ୍ତି, ଯେ ସେ ଦିଲ୍ଲୀ ଅଧ୍ୟାଦେଶ ଉପରେ ଅନେକ ଅଧ୍ୟୟନ କରିଛନ୍ତି। କେଜ୍‌ରିଓ୍ବାଲଙ୍କ ଅନୁଯାୟୀ, ଏପରି ନିୟମ କେବଳ ଦିଲ୍ଲୀ ପାଇଁ ଅଣାଯାଇପାରିବ ବୋଲି ଭାବିବା ଭୁଲ ହେବ। ଦିଲ୍ଲୀର ସିଏମ ବିଶ୍ୱାସ କରୁଛନ୍ତି ଯେ କେନ୍ଦ୍ର ସରକାର ସମବର୍ତ୍ତୀ ତାଲିକାରେ ଆସୁଥିବା ବିଷୟଗୁଡିକ ନେଇ କେନ୍ଦ୍ର ସରକାର ଏଭଳି ଅଧ୍ୟାଦେଶ ଆଣି ଯେକୌଣସି ପୂର୍ଣ୍ଣ ରାଜ୍ୟର ଅଧିକାର ଛଡ଼ାଇ ନେଇପାରିବେ।

Share