Categories: ଜାତୀୟ

ଅଟୋ ଡ୍ରାଇଭରଙ୍କୁ ଘରକୁ ଡାକିଲେ କେଜରିଓ୍ବାଲ

ଚଣ୍ଡିଗଡ଼,୨୨।୧୧: ପଞ୍ଜାବର ଲୁଧିଆନାରେ ଅଟୋ ଓ କ୍ୟାବ ଡ୍ରାଇଭରଙ୍କ ସହ ସୋମବାର ଡିନର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଏଏପି ମୁଖ୍ୟ ଏବେ ଲୁଧିଆନାରେ ଅଛନ୍ତି। ଏଠାରେ ସୋମବାର ଆୟୋଜିତ ଏକ ଇଭେଣ୍ଟରେ ଅଟୋ ଓ କ୍ୟାବ ଡ୍ରାଇଭରମାନଙ୍କୁ କହିଥିଲେ, କିଛି ବି ଦରକାର ମୋ ପାଖକୁ ଆସ।

ଇଭେଣ୍ଟ ବେଳେ ମାଇକ୍‌ରେ ଜଣେ ଡ୍ରାଇଭର କହିଥିଲେ, ସାର ମୁଁ ଆପଣଙ୍କ ବଡ଼ ଫ୍ୟାନ। ମୁଁ ଜଣେ ଅଟୋବାଲା। ଆପଣ ଡ୍ରାଇଭରଙ୍କୁ ସାହାଯ୍ୟ କରନ୍ତି। ଏହି ଗରିବ ଅଟୋବାଲା ଘରକୁ ଆପଣ ଭୋଜନ ପାଇଁ ଯିବେ କି ?

ଉତ୍ତରରେ ଆଜି ରାତିରେ ବୋଲି ପ୍ରଶ୍ନ କରିଥିଲେ କେଜରିଓ୍ବାଲ। ଜବାବରେ କେବଳ ଆଜି ରାତି ପାଇଁ ବୋଲି କହିଥିଲେ ଉକ୍ତ ଅଟୋବାଲା।

ରାତ୍ରିଭୋଜନ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି କେଜରିଓ୍ବାଲ। ସେ ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି, ଦୀଲିପ ତିଓ୍ବାରୀ ହୃଦୟରୁ ମୋତେ ନିଜ ଘରକୁ ଖାଇବାକୁ ଡାକିଥିଲେ। ତାଙ୍କ ପରିବାରବର୍ଗ ଖୁବ୍‌ ଭଲପାଇବା ଦେଲେ। ଏବେ ମୁଁ ସେମାନଙ୍କୁ ମୋ ଘରକୁ ଖାଇବା ପାଇଁ ଆମନ୍ତ୍ରଣ କରିଛି।

Share