Categories: ଜାତୀୟ

ଇ-ଯାନ କ୍ରୟ ଉପରେ ମିଳିବ ସବସିଡି

ନୂଆଦିଲ୍ଲୀ,୮ ।୪: ଦିଲ୍ଲୀ ସରକାର ଇ-ସାଇକେଲରେ ସବସିଡି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି କହିଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ଲଢେଇ କରିବାକୁ ଏକ ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଛୁ । ଦିଲ୍ଲୀ ସରକାରଙ୍କ ସଫଳ ଇ-ବାହନ ସବସିଡି ନୀତିକୁ ଏବେ ଇ-ସାଇକେଲ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଇ-ସାଇକେଲ ବ୍ୟବହାର ଦ୍ୱାରା ଦିଲ୍ଲୀର ପ୍ରଦୂଷଣ କମ ହେବ । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ କହିଛନ୍ତି କେଜରିୱାଲ ସରକାର ପ୍ରଥମ ୧୦ ହଜାର ଇ-ସାଇକେଲ ବିକ୍ରି ଉପରେ ପ୍ରତି ଇ-ସାଇକେଲ ପିଛା ୫୫୦୦ ଟଙ୍କା ସବସିଡି ଦେବେ । ଏହାସହ ଆଗରୁ କ୍ରୟ କରାଯାଇଥିବା ୧ ହଜାର ଇ-ସାଇକେଲ ପାଇଁ ୨-୨ ହଜାର ଟଙ୍କା ଅତିରିକ୍ତ ପ୍ରୋତ୍ସାହନ ରାଶି ଦେବେ । ସେହିପରି ମାଲ ପରିବହନ ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ହଜାର ଇ-ସାଇକେଲ ଉପରେ ୧୫ ହଜାର ଟଙ୍କା ସବସିଡି ଦିଆଯିବ । ଇ-କାର୍ଡ ଉପରେ ବ୍ୟକ୍ତିଗତ ଭାବେ ସବସିଡି ଦିଆଯାଉଥିବା ବେଳେ ଏବେ କମ୍ପାନୀକୁ ୩୦ ହଜାର ଟଙ୍କା ସବସିଡି ଦିଆଯିବ । ପରିବହନ ମନ୍ତ୍ରୀ କହିଛନ୍ତି ଇ-ସାଇକେଲ ଉପରେ ସବସିଡି ଦେବା କ୍ଷେତ୍ରରେ ଦିଲ୍ଲୀ ପ୍ରଥମ । କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ ଇ-ସାଇକେଲ ଉପରେ ସରକାର ସବସିଡି ଘୋଷଣା କରି ନାହାନ୍ତି ।

Share