ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଭଲ କାମ କରୁଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦେଶର ପ୍ରଥମ ‘ପ୍ଲାଜମା ବ୍ୟାଙ୍କ’ର ଉଦ୍ଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଭିଡିଓ କନ୍ଫରେନ୍ସିଂ ଜରିଆରେ ସେ ଏହା ଉଦ୍ଘାଟନ କରିଥିବା ବେଳେ ଲୋକେ ସ୍ବଇଚ୍ଛାରେ ଆସି ପ୍ଲାଜମା ଦାନ କରିବାକୁ ସେ କହିଛନ୍ତି। ଯଦି କୌଣସି କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ଓ ତାଙ୍କ ବୟସ ୧୮-୬୦ ମଧ୍ୟରେ, ଓଜନ ୫୦ କିଲୋଗ୍ରାମରୁ ଅଧିକ ତେବେ ଆପଣ ପ୍ଲାଜମା ଦାନ କରିପାରିବେ ବୋଲି ସେ କହିଛନ୍ତି। ତେବେ ସନ୍ତାନ ପ୍ରସବ କରିଥିବା ମହିଳାମାନେ ଏଥିପାଇଁ ଅଯୋଗ୍ୟ ବୋଲି କେଜରିଓ୍ବାଲ କହିଛନ୍ତି। ସେହିପରି ଅନ୍ୟ ଶାରୀରିକ ସମସ୍ୟା ଯେମିତିକି, ଡାଇବେଟିସ, ରକ୍ତଚାପ, କ୍ୟାନସର, କ୍ରନିକ ଲିଭର, କିଡ୍ନୀ, ହାର୍ଟ ଡିଜିଜ ଥିବା ବ୍ୟକ୍ତି ମଧ୍ୟ ପ୍ଲାଜମା ଦାନ କରିପାରିବେ ନାହିଁ। ପ୍ଲାଜମା ଦାନ କରିବାପାଇଁ ଏକ ହେଲ୍ପ ଲାଇନ ନମ୍ବର ସହ ଏକ ହ୍ବାଟସ୍ ଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି। ସୂଚନାଯୋଗ୍ୟ, କରୋନା ଭରି ମହାମାରୀ ପାଇଁ ଯେପର୍ଯ୍ୟନ୍ତ ଭ୍ୟାକ୍ସିନ ନ ଆସିଛି ସେ ପର୍ଯ୍ୟନ୍ତ ପ୍ଲାଜମା କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।