Categories: ଜାତୀୟ

ଦିଲ୍ଲୀର ୨ କୋଟି ଲୋକଙ୍କ ଦାୟିତ୍ୱ କାହାର? ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କେନ୍ଦ୍ର ସରକାର ଏବଂ କେଜ୍‌ରିଓ୍ବାଲ ସରକାରଙ୍କ ମଧ୍ୟରେ ରାଜନୈତିକ ତକ୍ତତା ବନ୍ଦ ହେବାର ନାମ ନେଉନାହିଁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ଚିଠି ଲେଖି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମଙ୍ଗଳବାର କେଜ୍‌ରିଓ୍ବାଲ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟପାଳ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

କେଜ୍‌ରିଓ୍ବାଲଙ୍କ ଦ୍ୱାରା ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଚିଠିକୁ ଟୁଇଟ କରି ଲେଖାଯାଇଛି, ଦିଲ୍ଲୀର ପ୍ରତ୍ୟେକ ନାଗରିକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦିଲ୍ଲୀର ଆଇନ ଶୃଙ୍ଖଳା ପାଇଁ ଏଲଜି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ସିଧାସଳଖ ଦାୟୀ। ନାଗରିକ, ବିଧାୟକ ଏବଂ ଆରଡବ୍ଲୁଏସଙ୍କ ସହଯୋଗରେ ଆଇନ ଶୃଙ୍ଖଳା ଉନ୍ନତ ହେବା ଉଚିତ୍‌। ପୋଲିସ ସ୍ତରୀୟ କମିଟି ପୁଣି ଆରମ୍ଭ ହେବା ଉଚିତ୍‌।

ଏହି ଚିଠିରେ ରାଜ୍ୟପାଳ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାରିଟି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ କହିବା ପାଇଁ ଯଥେଷ୍ଟ। କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଲୀର୨ କୋଟି ନାଗରିକଙ୍କ ତରଫରୁ ଦିଆଯାଇଥିବା ସାମ୍ବିଧାନିକ ଦାୟିତ୍ୱ ଅନୁଯାୟୀ ମୁଁ ସେମାନଙ୍କ ଜୀବନ ରକ୍ଷା କରିବାକୁ ନିବେଦନ କରୁଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମୁଁ ଯେକୌଣସି ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ।

 

Share