Categories: ଜାତୀୟ

ଭାଜପା ନିଜ ନେତାଙ୍କୁ ଛାଡ଼ିନାହିଁ, ଏଥର ନିର୍ବାଚନ ଜିତିଲେ ସବୁ ବିରୋଧୀ ଦଳ ନେତା ଜେଲ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଯଦି ଏଥର ଭାଜପା ନିର୍ବାଚନ ଜିତିଯାଏ ତେବେ ବିରୋଧୀ ଦଳର ସମସ୍ତ ନେତା ଜେଲ ଯିବେ। ଏବେ ସେମାନେ କେରଳ ମୁଖ୍ୟମନ୍ତ୍ରୀଙ୍କ ପଛରେ ପଡ଼ିଛନ୍ତି। ଘୋଷଣାପତ୍ରରେ ଲେଖିକରି ରଖ ଯେ ଯଦି ଏମାନେ ନିର୍ବାଚନ ଜିତିଯାଆନ୍ତି ତେବେ ମମତା ବାନାର୍ଜୀ, ତେଜସ୍ବୀ ଯାଦବ, ପିନରାଇ ବିଜୟନ, ଏମ୍‌କେ ଷ୍ଟାଲିନ୍‌ ଏବଂ ଉଦ୍ଧବ ଠାକରେ ଜେଲ ଯିବେ। ସେମାନେ ନିଜ ନେତାଙ୍କ ରାଜନୈତିକ କ୍ୟାରିୟର ଶେଷ କରିଛନ୍ତି। ଆଗାମୀ ନମ୍ବର ଯୋଗୀ ଆଦିତ୍ୟନାଥଙ୍କର। ଯଦି ଏମାନେ ନିର୍ବାଚନ ଜିତିଲେ ଦୁଇ ମାସ ମଧ୍ୟରେ ୟୁପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଯିବ।

ସେହିଭଳି ‘ଓ୍ବାନ୍‌ ନେଶନ-ଓ୍ବାନ୍‌ ଲିଡର’ ମିଶନ ଅନୁଯାୟୀ ପିଏମ୍‌ ନରେନ୍ଦ୍ର ମୋଦି ଲାଲ କୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀ, ଶିବରାଜ ସିଂ ଚୌହ୍ବାନ, ବସୁନ୍ଧରା ରାଜେଙ୍କ ରାଜନୈତିକ କ୍ୟାରିୟର ଶେଷ କରିଛନ୍ତି। ଯେଉଁମାନେ କି ତାଙ୍କୁ ନିର୍ବାଚନ ଜିତାଇ ଦେଇଥିଲେ। ଏବେ ଏମାନେ ନିର୍ବାଚନ ଜିତିଲେ ଆଗାମୀ ନମ୍ବର ଯୋଗୀ ଆଦିତ୍ୟନାଥଙ୍କ ହେବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

ଭାଜପା ଉପରେ କଟାକ୍ଷ କରି ସେ କହିଛନ୍ତି, ଯେତେବେଳେ ଆମ ଦେଶରେ କୌଣସି ତାନାଶାହା କବ୍ଜା କରିବାକୁ ଚେଷ୍ଟା କରୁଛନ୍ତି ତେବେ ଦେଶର ଲୋକେ ତାଙ୍କୁ ଉପାଡ଼ି ଫିଙ୍ଗି ଦେଇଥିଲେ। ଆଜି ପୁଣି ଜଣେ ତାନାଶାହା ଗଣତନ୍ତ୍ରକୁ ଶେଷ କରିବାକୁ ଲାଗି ପଡ଼ିଛନ୍ତି। ମୁଁ ତାଙ୍କ ବିରୋଧରେ ଲଢ଼ୁଛି। ହେଲେ ଏକୁଟିଆ କିଛି ବି କରିପାରିବି ନାହିଁ। ଏହି ତାନାଶାହାଙ୍କଠାରୁ ଦେଶକୁ ରକ୍ଷା କରିବା ଲାଗି ୧୪୦ କୋଟି ଲୋକଙ୍କ ସମର୍ଥନ ଲୋଡ଼ା। ସୁପ୍ରିମକୋର୍ଟ ମୋତେ ୨୧ ଦିନ ଦେଇଛନ୍ତି। ମୁଁ ସାରାଦେଶକୁ ଯିବି। ମୋର ଶରୀରର ପ୍ରତିଟି ରକ୍ତବିନ୍ଦୁ ଦେଶ ପାଇଁ ସମର୍ପିତ ବୋଲି ସେ କହିଛନ୍ତି।

Share