ନୂଆଦିଲ୍ଲୀ, ୩।୨: ଦିଲ୍ଲୀରେ ୩ୟ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି(ଆପ୍) ସରକାର ଗଢ଼ିବା ନେଇ ସେ ଆଶାବାଦୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି(ଆପ୍) ଆବାହକ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ପ୍ରଚାରର ଶେଷ ଦିନରେ ସେ ରେଡ୍ ଶୋ’ କରିବା ସହ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ କହିଛନ୍ତି, ତାଙ୍କ ଆକଳନ ଅନୁଯାୟୀ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ୫୫ ଆସନରେ ବିଜୟଲାଭ କରିବ।
ଯଦି ପରିବାରର ମହିଳାମାନେ ସେମାନଙ୍କ ପୁରୁଷଙ୍କୁ ଠିକ୍ ଭାବେ ବୁଝାଇପାରିବେ ତାହା ହେଲେ ସଂଖ୍ୟା ୬୦ ଅତିକ୍ରମ କରିପାରେ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୫ ନିର୍ବାଚନରେ ଆପ୍ ୬୭ ସିଟ୍ ପାଇଥିବା ବେଳେ ୨୦୨୦ରେ ୬୨ ଆସନ ଅକ୍ତିଆର କରିଥିଲା।
୨୦୨୫ ନିର୍ବାଚନରେ ଦିଲ୍ଲୀରେ ଆପ୍, ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଆପ୍ ସରକାର ବିରୋଧୀ ପବନର ସମ୍ମୁଖୀନ ହେଉଥିଲେ ମଧ୍ୟ ୩ୟ ଥର କ୍ଷମତା ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଆପ୍କୁ ଗାଦିଚ୍ୟୁତ କରିବା ନେଇ ଭାଜପା ଏକପ୍ରକାର ପ୍ରତିଜ୍ଞା କରିଥିବା ଭଳିି ପ୍ରତୀୟମାନ ହେଉଛି।
ସ୍ଥଳେ ଏକଦା ୧୫ ବର୍ଷ ଧରି କ୍ଷମତା ଚାଖିଥିବା କଂଗ୍ରେସ ହରାଇଥିବା ଦିଲ୍ଲୀବାସୀଙ୍କ ବିଶ୍ୱାସ ଫେରିପାଇବା ଲକ୍ଷ୍ୟରେ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ବୁଧବାର ଦିଲ୍ଲୀରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ୮ ତାରିଖ ଗଣତି ହେବ ବୋଲି ଦିନଧାର୍ଯ୍ୟ କରାଯାଇଛି।