Categories: ଜାତୀୟ

ଭାଜପା ପାଇଁ ଏଏପି ଏକମାତ୍ର ଆହ୍ବାନ; ମୋତେ ଅଭିମନ୍ୟୁ ଭାବି ଚକ୍ରବ୍ୟୁହ ରଚନା କରାଯାଉଛି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ଗୁଜରାଟ ନିର୍ବାଚନରେ ଭାଜପାକୁ ଟକ୍କର ଦେବା ଲାଗି ଅଣ୍ଟା ଭିଡିଛି ଏଏପି। ଏହାକୁ ନେଇ ଉଭୟ ଦଳ ବିରୋଧରେ ବାକ୍‌ବିତଣ୍ଡା ଜାରି ରହିଛି। ଏହି କ୍ରମରେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ଭାଜପାକୁ କଟାକ୍ଷ କରିଛନ୍ତି। ଉଭୟ ଗୁଜରାଟ ଏବଂ ଏମ୍‌ସିଡି ନିର୍ବାଚନ ଜିତିବା ଦଳର ପ୍ରାଥମିକତା। ତେବେ ଭାଜପା ଏଏପିକୁ ଅସୁବିଧାରେ ପକାଇବାକୁ ଉଭୟ ନିର୍ବାଚନ ଏକାସାଙ୍ଗରେ କରୁଥିବା ସେ ଅଭିଯୋଗ କରିବା ସହ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସମର୍ଥନ ଦଳକୁ ମିଳୁଛି ବୋଲି କହୁଛନ୍ତି।

ଏକ ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେଜ୍ରିଓ୍ବାଲ କହିଛନ୍ତି, ଭାଜପା ଲାଗି ଏଏପି ହେଉଛି ଏକମାତ୍ର ଆହ୍ବାନ। ସେମାନେ ଆମକୁ ଉଭୟ ସ୍ଥାନରେ ବାନ୍ଧିବାକୁ ଚାହୁଁଥିଲେ, ଏଥିଲାଗି ଦୁଇଟି ସ୍ଥାନରେ ଏକାସାଙ୍ଗରେ ନିର୍ବାଚନ ହେଉଛି।ଭାଜପା ମୋତେ ଅଭିମନ୍ୟୁ ଭାବି ଚକ୍ରବ୍ୟୁହ ରଚନା କରିଛି। ହେଲେ ମୋତେ ଚକ୍ରବ୍ୟୁହରୁ ମୁକୁଳିବା ଆସେ। ଆମର ମହତ ଉଦ୍ଦେଶ୍ୟକୁ ନେଇ ଜନସାଧାରଣ ଆମକୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଏଥର ମଧ୍ୟ ଉଭୟ ନିର୍ବାଚନ ପାଇଁ ଲୋକମାନେ ଆମ ଏଜେଣ୍ଡାକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।

Share