Categories: ଜାତୀୟ

ଆଜି ବି କଶ୍ମୀରରେ ପଣ୍ଡିତ ସୁରକ୍ଷିତ ନାହାନ୍ତି

ନୂଆଦିଲ୍ଲୀ,୧୬।୫: କଶ୍ମୀର ପଣ୍ଡିତଙ୍କ ହତ୍ୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କିଛି ଦିନ ପୂର୍ବରୁ କଶ୍ମୀରରେ ଜଣେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଭାରତୀୟ ସେନା ମଧ୍ୟ ଏହାର ପ୍ରତିଶୋଧ ୨୪ ଘଣ୍ଟା ଭିତରେ ନେଇଥିଲା। ୨ଆତଙ୍କବାଦୀଙ୍କୁ ଖୋଜି ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ଆଜି ବି ସମଗ୍ର ଦେଶ ଚିନ୍ତିତ ଯେ, କଶ୍ମୀରରେ କଶ୍ମୀରୀ ପଣ୍ଡିତମାନେ କାହିଁକି ସୁରକ୍ଷିତ ନାହାନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, କଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଭାବେ କଶ୍ମୀରରେ ପୁଣି ଥଇଥାନ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉ। ଯେତେ ଖର୍ଚ୍ଚ ହେଲେ ବି ସେମାନଙ୍କ ବ୍ୟବସ୍ଥା କରାଯାଉ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଫଳରେ ଆତଙ୍କବାଦୀମାନେ ବୁଝିପାରିବେ ଯେ, ସେମାନେ କଶ୍ମୀରୀ ପଣ୍ଡିତଙ୍କୁ ଭୁଲ ଉଦ୍ଦେଶ୍ୟରେ ଚାହିଁଲେ, ଭାରତ ସେମାନଙ୍କୁ ଛାଡ଼ିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ହତ୍ୟା ପରେ କଶ୍ମୀରୀ ପଣ୍ଡିତମାନେ କ୍ରୋଧ ପ୍ରକାଶ କରିବାକୁ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନଙ୍କୁ ଅଟକାଇ ଦିଆଯାଇଥିଲା, ମାଡ଼ ମରାଯିବା ସହ ଘରେ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସମୟ ରାଜନୀତିର ନୁହେଁ। ସେମାନେ ନିଜକୁ ସୁରକ୍ଷିତ ଅନୁଭବ କରିବାକୁ ଚାହୁଁଛନ୍ତି। ଯଦି ସେମାନେ ସୁରକ୍ଷା ନ ପାଆନ୍ତି, ତେବେ ଅନ୍ୟ ଲୋକମାନେ କିପରି ନିଜ ଘରକୁ ଫେରିବେ ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ କେଜ୍ରିଓ୍ବାଲ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Share