Categories: ଜାତୀୟ

ମିଛ-ମନଗଢ଼ା କାହାଣୀରେ ମୋତେ ଫସାଯାଇଛି, ଗିରଫଦାରୀ ଅବୈଧ: ହାଇକୋର୍ଟରେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୭: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କୁ ଫସାଯାଇଥିବା କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଏମ ଜାଲ ତଥା ମନଗଢ଼ା କାହାଣୀରେ ଫସାଇଛି। ଏପରିକି ତାଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ଭାବେ ଅବୈଧ ବୋଲି କେଜରିଓ୍ବାଲ କହିଛନ୍ତି।

ତେବେ କେଜ୍‌ରିଓ୍ବାଲଙ୍କୁ ମିଳିଥିବା ଜାମିନ ରଦ୍ଦ କରିବାକୁ ଇଡି କୋର୍ଟରେ ମାମଲା ଦାୟର କରିଛି। ଏହାକୁ ବିରୋଧ କରି କୋର୍ଟରେ କେଜରିଓ୍ବାଲ ନିଜର ଦଲିଲ ଦେଇଛନ୍ତି। ଗତ ଜୁନ ୨୦ରେ ରାଉଜ ଆଭିନ୍ୟୁ କୋର୍ଟ କେଜରିଓ୍ବାଲଙ୍କୁ ଜାମିନ ଦେଇଥିଲେ। ହେଲେ ଇଡି ଏହି ଜାମିନକୁ ଖାରଜ କରିବାର ଦାବି କରୁଛି। ଏବେ ଏହି ଅପିଲ ବିରୋଧରେ କେଜରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ଜବାବ ଦାଖଲ କରାଯାଇଛି।

ବୁଧବାର ହାଇକୋର୍ଟରେ ବିଚାରପତି ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଜୁଲାଇ ୧୫ରେ ଶୁଣାଣି କରାଯିବ ବୋଲି ନିର୍ଦ୍ଦାରିତ କରିଛନ୍ତି। ସେ କେଜରିଓ୍ବାଲଙ୍କ ଅଭିଯୋଗ ଉପରେ ଜବାବ ଦେବା ଲାଗି ଇଡିକୁ ସମୟ ଦେଇଛନ୍ତି।

Share