Categories: ଜାତୀୟ

କଂଗ୍ରେସ ହାତ ଛାଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ରାୟପୁର,୧୦।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଅରବିନ୍ଦ ନେତମ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତଥା ରାଜ୍ୟ କଂଗ୍ରେସ ସଭାପତି ଦୀପକ ବାଜଙ୍କ ନିକଟକୁ ପଠାଇଛନ୍ତି।
ଏଆଇସିସିକୁ ପଠାଯାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ମୁଁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ। ୫ ବର୍ଷ ପୂର୍ବେ ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ବାନରେ କଂଗ୍ରେସକୁ ଫେରି ମୁଁ ସବୁବେଳେ ମୋର ଅଭିଜ୍ଞତା ସହିତ ଦଳକୁ ମଜଭୁତ କରିବାକୁ ଚେଷ୍ଟା କଲି, କିନ୍ତୁ ରାଜ୍ୟ ନେତୃତ୍ୱର ଅସହଯୋଗ ମନୋଭାବ ଯୋଗୁ ମୁଁ ନିରାଶ ହୋଇଥିଲ। ରାଜ୍ୟ ସରକାର ଆଦିବାସୀ ସମାଜ ପାଇଁ ବାବାସାହେବ ଡକ୍ଟର ଭୀମାରାଓ ଆମ୍ବେଡକରଙ୍କ ଦ୍ୱାରା ଦିଆଯାଇଥିବା ସାମ୍ବିଧାନିକ ଅଧିକାରର ବିପରୀତ କାର୍ଯ୍ୟ କରୁଛନ୍ତି। ତେଣୁ ମୁଁ ବିଶ୍ୱ ଆଦିବାସୀ ଦିବସ ଅବସରରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୁଁ ସବୁବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ଗ୍ରହଣ କରିଆସୁଛି, ଏଥିପାଇଁ ମୁଁ ଦଳକୁ କୃତଜ୍ଞତା ଜଣାଉଛି।
ଅରବିନ୍ଦ ନେତମ ସମସ୍ତ ଆଦିବାସୀ ସମାଜର ପୃଷ୍ଠପୋଷକ ଅଟନ୍ତି। ସେ ଇନ୍ଦିରା ଗାନ୍ଧୀ ଏବଂ ନରସିଂହ ରାଓଙ୍କ ସରକାରରେ ମନ୍ତ୍ରୀ ରହିଛନ୍ତି। ସେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ କୃଷି ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ୧୯୯୬ରେ ତାଙ୍କୁ ପ୍ରଥମ ଥର ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଅରବିନ୍ଦ ନେତମ ୪ ଥର ଏମ୍‌ପି ହୋଇଛନ୍ତି। ସେ ଛତିଶଗଡର ଜଣେ ବରିଷ୍ଠ ଆଦିବାସୀ ନେତା।

Share