ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୧୧।୭: ଆଡ଼ପ ପହଣ୍ଡି ଅଘଟଣ ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଗୁରୁବାର ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅରବିନ୍ଦ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଥିବା ଭି.ଭି. ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ଆଡ଼ପ ପହଣ୍ଡିବେଳେ ବଡ଼ଠାକୁର ପଡ଼ିଯିବାଘଟଣାକୁ ନେଇ ଜଗନ୍ନାଥ ଭକ୍ତଙ୍କ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ବିରୋଧୀଦଳ ନେତାଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦେଇଛନ୍ତି। ଉକ୍ତ ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ଯାଦବଙ୍କୁ ଅବ୍ୟାହତି ଦିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରି ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share