ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି। ସବୁଥର ପରି ମଙ୍ଗଳବାର ମଧ୍ୟ ତାଙ୍କ ଜାମିନ ଆବେଦନକୁ ମାଜିଷ୍ଟ୍ରେଟ୍‌ କୋର୍ଟ ଏବଂ ଏନ୍‌ଡିପିଏସ୍‌ କୋର୍ଟ ଖାରଜ କରିଦେଇଛନ୍ତି। ଏବେ ଏହି ଆବେଦନର ଶୁଣାଣି ବମ୍ବେ ହାଇକୋର୍ଟରେ ହେବ। ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ଅପରାହ୍ନ ୨.୩୦ରେ କରାଯିବ ବୋଲି ଜଣାପଡ଼ିଛି।

ଆର୍ୟନଙ୍କ ମାମଲାରେ କୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଦଲିଲ ରଖିଥିଲେ। ସେ ଅଦାଲତକୁ କହିଥିଲେ, ଆର୍ୟନଙ୍କୁ ଭୁଲ ଉପାୟରେ ଗିରଫ କରାଯାଇଛି। ତାଙ୍କ ଉପରେ କ୍ରୁଜ୍‌କୁ ଯାଇଥିବା ଅଭିଯୋଗ ରହିଛି। ହେଲେ ତାଙ୍କ ନିକଟରୁ କିଛି ବି ନିଶାଦ୍ରବ୍ୟ ଜବତ ହୋଇନାହିଁ। ଏନ୍‌ସିବି ନିକଟରେ କ୍ରୁଜ୍‌ରେ ଲୋକ ଡ୍ରଗ୍ସ ସେବନ କରୁଥିବା ନେଇ ପୂର୍ବ ସୂଚନା ରହିଥିଲା। ଏଥିପାଇଁ ଏହାର ଅନେକ ଅଧିକାରୀ ସେଠାରେ ଉପସ୍ଥିତ ଥିଲା। ଟର୍ମିନାଲରେ ଏନ୍‌ସିବି ଥିଲା। ଆର୍ୟନ ଏବଂ ବନ୍ଧୁ ଅରବାଜ ଜାହାଜ ଉପରେ ଚଢ଼ିବା ପୂର୍ବରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ସ ରଖିବା ନଚେତ ସେବନ କରିଥିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ତାଙ୍କ ବନ୍ଧୁଙ୍କ ନିକଟରୁ ୬ ଗ୍ରାମ ଚରସ ଜବତ କରାଯାଇଥିଲା। ଏହା ବ୍ୟବସାୟ ସମ୍ବନ୍ଧୀୟ ନ ଥିଲା। ସବୁ ଘଟଣାକ୍ରମକୁ ଦେଖିଲେ ଆର୍ୟନଙ୍କୁ ଫସାଇବାକୁ ଚକ୍ରାନ୍ତ ଚାଲିଥିବା ସେ କହିଛନ୍ତି।

Share