Categories: ଜାତୀୟ

ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ନିୟନ୍ତ୍ରଣ ଆବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ,୨୮ା୪: ଦିଲ୍ଲୀର ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ନ ଦେବା ପାଇଁ ଉପରାଜ୍ୟପାଳ (ଏଲ୍‌ଜି)ଙ୍କୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ଆଣି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ବୁଧବାର ନିଜ ଆଭିମୁଖ୍ୟ ସମ୍ପର୍କରେ ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଛି ଯେ, ବିଶ୍ୱ ଦିଲ୍ଲୀ ଜରିଆରେ ଭାରତକୁ ଦେଖିଥାଏ। ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ଏହାର ପ୍ରଶାସନ ଉପରେ କେନ୍ଦ୍ରର ସ୍ବତନ୍ତ୍ର କ୍ଷମତା ରହିବା ଆବଶ୍ୟକ। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ କର୍ମଚାରୀମାନଙ୍କ ବଦଳି ଓ ନିଯୁକ୍ତି ନିୟନ୍ତ୍ରଣ କେନ୍ଦ୍ର ହାତରେ ବଜାୟ ରହୁ। ବାଲାକ୍ରିଷ୍ଣନ୍‌ କମିଟି ରିପୋର୍ଟ ଆଧାରରେ ଜାତୀୟ ସ୍ବାର୍ଥ ପାଇଁ ଏହି କ୍ଷମତା ନିଜ ପାଖରେ ରଖିବାକୁ କେନ୍ଦ୍ର ଯୁକ୍ତି ବାଢ଼ିଛି। ଅନ୍ୟପକ୍ଷେ କେନ୍ଦ୍ରର ଏଭଳି ଆଭିମୁଖ୍ୟ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଏଏପି ସରକାର ଆପତ୍ତି ଉଠାଇଛନ୍ତି। ସିଭିଲ ସର୍ଭିସ ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହୁ ବୋଲି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ। ତେବେ କେନ୍ଦ୍ର ଏହି ପ୍ରସଙ୍ଗ ଏକ ୫ଜଣିଆ ସାମ୍ବିଧାନିକ ପୀଠରେ ହେଉ ବୋଲି କହିଥିଲା।

Share