Categories: ଜାତୀୟ

‘ଧରିପଡ଼ିବା ପରେ ବଳାତ୍କାରୀଙ୍କୁ ଏନକାଉଣ୍ଟର’

ହାଇଦ୍ରାବାଦ୍‌,୧୫।୯: ପଡୋଶୀଙ୍କ ୬ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଏହି ବଳାତ୍କାର ଓ ହତ୍ୟା କାଣ୍ଡ ଘଟାଇଥିବା ଅପରାଧୀ ଧରାପଡ଼ିବା ପରେ ଏନକାଉଣ୍ଟର କରାଯିବ ବୋଲି ତେଲାଙ୍ଗାନାର ଜଣେ ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ଟୁଇଟ୍‌ କରିଛନ୍ତି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ତାଙ୍କ ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ଅଭିଯୁକ୍ତଙ୍କ ନାମ ପାଲାକୋଣ୍ଡା ରାଜୁ (୩୦)। ଘରେ ପୀଡ଼ିତାଙ୍କ ମୃତଦେହ ମିଳିବା ପରଠାରୁ ସେ ଫେରାର ଅଛନ୍ତି। ଏହି ଘଟଣାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମନ୍ତ୍ରୀ କେ ଟି ରାମାରାଓ ଟୁଇଟ୍‌ କରିଥିଲେ। କିନ୍ତୁ ଏଥିରେ ସତ୍ୟତା ନ ଥିବାରୁ ସେ ପରବର୍ତ୍ତୀ ଟୁଇଟ୍‌ରେ କ୍ଷମାପ୍ରାର୍ଥନା କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ହାଇଦ୍ରାବାଦ୍‌ ପୋଲିସ ମ୍ୟାନ ହଣ୍ଟ ଜାରି କରିଥିବା ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ହାଇଦ୍ରାବାଦ୍‌ର ସିଙ୍ଗାରେନି କଲୋନିରୁ ଜଣେ ୬ ବର୍ଷୀୟା ନାବାଳିକା ନିଖୋଜ ହୋଇଯାଇଥିଲା। ପର ଦିନ ପଡ଼ୋଶୀଙ୍କ ଘରୁ ମିଳିଥିଲା ନାବାଳିକାଙ୍କ ମୃତଦେହ। ଅଭିଯୁକ୍ତ ଗିରଫ ହୋଇ ସାରିଥିବା କିଛି ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ସେଥିରେ ସତ୍ୟତା ନ ଥିବା ଜଣାପଡ଼ିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଓ କଲୋନିବାସୀ ନ୍ୟାୟ ଦାବି କରୁଛନ୍ତି।

Share