ଉଭା ଯେତେ, ପୋତା ସେତେ

ଆଗେ ଗାଁ ଗଣ୍ଡାରେ ଧନିକ ଶ୍ରେଣୀ ତଥା ଥିଲାବାଲା ଲୋକଙ୍କ ଉଦ୍ଦେଶ୍ୟରେ, ଅମୁକ ଲୋକର ଉଭା ଯେତେ ପୋତା ସେତେ ବୋଲି କୁହାଯାଏ। ଏବେ ବି ଏ କଥାର ପ୍ରଚଳନ ରହିଛି। ଏ କଥାର ମର୍ମ ହେଉଛି କୌଣସି ଧନଶାଳୀ ବା ବଡ଼ବଡ଼ିଆ ବ୍ୟକ୍ତିଙ୍କ ବାହାରକୁ ଦେଖାଯାଉଥିବା ଧନସମ୍ପତ୍ତି ଯେତିକି, ଦେଖାଯାଉ ନ ଥିବା ତଥା ଗୁପ୍ତ ଭାବେ ଥିବା ଧନସମ୍ପତ୍ତି ମଧ୍ୟ ସେତିକିି। ପୂର୍ବେ ଗାଁରେ ସାହୁକାର, ମହାଜନ, ଗୁଡ଼ାଏ ଜମିବାଡ଼ି ଥିବା ଲୋକ ତଥା ବେପାର ବଣିଜ କରୁଥିବା ଲୋକ ସାଧାରଣତଃ ବଡ଼ଲୋକ ଭାବେ ଗଣ୍ୟ ହେଉଥିଲେ। ଛୋଟ ଚାଷୀ, ମୂଲମଜୁରି ଲାଗୁଥିବା ଗରିବ ଶ୍ରେଣୀର କିଛି ଲୋକ ଥିଲା ନ ଥିଲାରେ ଏମାନଙ୍କ ପାଖରୁ ଟଙ୍କା କରଜ ନେଉଥିଲେ। ଚାଷବାସ ଲାଗି ହେଉ କି ବାହାବ୍ରତ ଆଦି କର୍ମକାର୍ଯ୍ୟ ଲାଗି ହେଉ କିମ୍ବା ବିପଦଆପଦରେ ପଡ଼ି ହେଉ ନିହାତି ଦରକାର ବେଳେ ସୁନାରୁପା କିମ୍ବା ଜମିବାଡ଼ି ବନ୍ଧକ ଦେଇ ଉଧାର ନେଇଥିବା ଟଙ୍କା ଠିକଣା ସମୟରେ ପରିଶୋଧ କରି ନ ପାରିଲେ ସୁନାରୁପା ଓ ଜମିବାଡ଼ି ସବୁ ହରେଇବାକୁ ପଡୁଥିଲା। ବହୁ ଦିନ ଯାଏ ଏମିତିକା ବ୍ୟବସ୍ଥା ଆମ ସମାଜରେ ଥିଲା ଓ ଏବେ ବି କାଁ ଭାଁ ଏଭଳି କାରବାର ଗାଁ ଗଣ୍ଡାରେ ଚାଲିଛିି। ସେତେବେଳେ ଲୋକେ ଅସଚେତନ ଥିବାରୁ ଅଧିକାଂଶ କ୍ଷେତ୍ରରେ ସାହୁକାର ଓ ମହାଜନଙ୍କ ଶୋଷଣର ଶିକାର ହେଉଥିଲେ। ବଡ଼କଥା ହେଲା ସେତେବେଳେ ଏହି ଉଭା ଯେତେ ପୋତା ସେତେ ଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌ ଥିଲା ଏବଂ ଅଭାବ ଅସୁବିଧାରେ ଥିବା ଲୋକଙ୍କ ସଂଖ୍ୟା ବେଶି ଥିଲା। ତା’ଛଡା ସାହୁକାର ଓ ମହାଜନମାନେ କେବଳ ସେମାନଙ୍କ ପାଖକୁ ଆସୁଥିବା ତଥା ସେମାନଙ୍କ ସହ ନିୟମିତ କାରବାର କରୁଥିବା ଲୋକଙ୍କୁ ଠକୁଥିଲେ ଏବଂ ଶୋଷଣ କରି ବଡ଼ ଲୋକ ହେଉଥିଲେ। ଏମାନେ ଗରିବଙ୍କୁ ଠକୁଥିଲେ ଓ ଶୋଷଣ କରୁଥିଲେ ସତ, ହେଲେ ଅଭାବ ଅସୁବିଧାରେ ଏମାନେ ଯେ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିଲେ ଏଥିରେ ସନ୍ଦେହ ନାହିଁ। ତା’ଛଡା ଏହି ଶୋଷଣ ଓ ଠକାମିର କୁପ୍ରଭାବ ସମ୍ପୃକ୍ତ ଗରିବ ଶ୍ରେଣୀଙ୍କ ଅର୍ଥନୈତିକ, ସାମାଜିକ ଓ ପାରିବାରିକ ଜୀବନକୁ ପ୍ରଭାବିତ କରୁଥିଲା ଓ ସମାଜରେ ଧନୀ ଓ ଗରିବର ଭେଦଭାବ ସୃଷ୍ଟିରେ ସହାୟକ ହେଉଥିଲା। ମାତ୍ର ବଡ଼କଥା ହେଉଛି ଏହି ସାହୁକାର, ମହାଜନ ଆଦି ଧନିକ ଶ୍ରେଣୀର ଲୋକେ ସାଧାରଣ ଲୋକଙ୍କ କର ଖଜଣାରେ ସମୃଦ୍ଧ ରାଜକୋଷକୁ ଲୁଟ୍‌ କରିବାର ସୁଯୋଗ ପାଉ ନ ଥିଲେ; ଯାହାଫଳରେ ସାମଗ୍ରିକ ଭାବେ ସମାଜର ବିଶେଷକିଛି କ୍ଷତି ସାଧନ ହେଉ ନ ଥିଲା। ଏବେ କିନ୍ତୁ ସରକାରୀ ରାଜକୋଷ ଓ ସାଧାରଣ ଲୋକଙ୍କୁ ଶୋଷଣ କରିବାର ନିଶା ଅନେକଙ୍କୁ ଗ୍ରାସ କରିଛି। ଅସଦ୍‌ ଉପାୟରେ ସମ୍ପତ୍ତି ଠୁଳ କରିବାର ଅଭ୍ୟାସରେ ଅସାଧୁ ଓ ଦୁର୍ନୀତିଖୋରମାନେ ଅଭ୍ୟସ୍ତ ହୋଇଗଲେଣିି। ଛୋଟିଆ ସରକାରୀ କର୍ମଚାରୀଠାରୁ ପୁଣି ଅଧିକାରୀଙ୍କ ଯାଏ ଯାହା ଉପରେ ହାତ ବୁଲାଇ ଆଣିଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ଉଭା ଯେତେ, ପୋତା ବି ସେତେ। ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟରେ ଶତାଧିକ ଉଭୟ ଉଭା ଓ ପୋତା ସମ୍ପତ୍ତିର ଅଧିକାରୀ, ଏମିତି ଅନେକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଲାଣି, ହେଲେ ଦୁର୍ନୀତିର ପ୍ରକୋପ କମିବାରେ ନାଁ ଗନ୍ଧ ନାହଁି। ଦୈନିକ କେହି ନା କେହି କୋଟିପତି ବାବୁଙ୍କ କଳା କାରନାମାର କାହାଣୀ ଖବର କାଗଜର ଶିରୋନାମା ପାଲଟୁଛି।
ବରଂ ଦିନକୁଦିନ ଉଭା ଯେତେ, ପୋତା ସେତେ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବ୍ୟବସାୟୀ, ଠିକାଦାର, ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଯାଏ ସମସ୍ତଙ୍କର ଉଭା ଯେତେ, ପୋତା ବି ସେତେ। ଲାଞ୍ଚ କାରବାର, ଠକାମି ଓ ବାଟମାରଣା ଭଳି କାରନାମା ବଢ଼ି ଚାଲିଛି। ଦୁର୍ନୀତିର ଏତେ ମାତ୍ରାରେ ବଢ଼ିଛି ଯେ ସାଧାରଣ ଲୋକଟିଏ ନିଜ ଜୀବନ ଜୀବିକାକୁ ନେଇ ବିବ୍ରତ ଓ ଆତଙ୍କିତ ହୋଇପଡୁଛି। ସବୁଠି ଦୁର୍ନୀତି, ଶୋଷଣ ଓ ପ୍ରିୟାପ୍ରୀତି ତୋଷଣ ନୀତି ଯୋଗୁ ସାଧାରଣ ଲୋକଟିଏ ନିଜ ଅଧିକାର ସାବ୍ୟସ୍ତ ନେଇ ସନ୍ଦିହାନ ହୋଇପଡୁଛି। ଦୈନିକ ଖବରକାଗଜର ପୃଷ୍ଠା ଓଲଟାଇଲେ ଏହି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ କଳାକାରନାମାର କାହାଣୀ ପଢ଼ିବାକୁ ମିଳୁଛି। ଏବେ ଜଣେ ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ବାହାରିଲା ଯେ, ତାକୁ ଗଣିବାକୁ ଯାଇ କୁଆଡ଼େ ଅଧିକାରୀମାନଙ୍କୁ ନୟାନ୍ତ ହେବାକୁ ପଡ଼ିଲା। ସେହିପରି ପ୍ରାୟ ପ୍ରତିଦିନ ବିଭିନ୍ନ ବିଭାଗର କେହି ନା କେହି ସରକାରୀ କର୍ମଚାରୀ, ଅଧିକାରୀ ଲାଞ୍ଚ, ଉତ୍କୋଚ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଉଛନ୍ତି। ମାତ୍ର ଏହାର ପ୍ରଭାବ କାହା ଉପରେ ପଡ଼ିଲା ଭଳି ଲାଗୁନି। ଏମାନେ ବିପୁଳ ଧନସମ୍ପତ୍ତିର ଅଧିକାରୀ। ବିଭିନ୍ନ ସ୍ଥାନରେ ଏମାନଙ୍କର ପ୍ଲଟ ଓ ଫ୍ଲାଟ ରହିଛି। ଦାମୀ ଗାଡ଼ିଠାରୁ ପୁଣି ବ୍ୟାଙ୍କ୍‌ରେ ଏମାନଙ୍କ ନାଁରେ କୋଟି କୋଟି ଟଙ୍କା ଥିବା ତଦନ୍ତ ପରେ ଜଣାପଡୁଛି। ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ ଅଧିକାରୀ/କର୍ମଚାରୀମାନେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ ନାନାଦି ବେନିୟମ କାର୍ଯ୍ୟ ଅବାଧରେ କରି ଚାଲିଛନ୍ତି। ପ୍ରାୟ ସବୁ ଦପ୍ତରରେ ପିସି କାରବାର ଚାଲିଛି। ସରକାରୀ ଅଧିକାରୀ, ଠିକାଦାର ଓ ଜନ ପ୍ରତିନିଧି ସମସ୍ତଙ୍କ ଜାଣତରେ ଓ ସଲାସୁତୁରାରେ ଏହି କାରବାର ଚାଲିଛି। ଅନେକ କ୍ଷେତ୍ରରେ ସରକାରୀ ଅର୍ଥର ବାଟମାରଣା କରାଯାଉଛି। ଅର୍ଥ ଓ କ୍ଷମତାର ଦୁରୁପଯୋଗ କରାଯାଉଛି। ପିସି କାରବାର ଯୋଗୁ ଅନେକ ଜନହିତକାରୀ ଯୋଜନା ଓ ଉନ୍ନୟନ କାମର ସଫଳ ରୂପାୟନ ହୋଇପାରୁନି। ଅଧିକାରୀ/କର୍ମଚାରୀଙ୍କୁ କିଛି ହାତଗୁଞ୍ଜା ନ ଦେଲେ ସାଧାରଣ ଲୋକଙ୍କ କାମ ହେଉନି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ଥାଇପାରେ। ଲୋକଙ୍କ ସେବାରେ ନିୟୋଜିତ ଡାକ୍ତର ହୁଅନ୍ତୁ କି ପୋଲିସ କିମ୍ବା ବ୍ଲକ ଓ ତହସିଲ ଆଦି କର୍ମଚାରୀ ଏମାନେ ସାଧାରଣ ଲୋକଙ୍କ କର ଖଜଣା ଟଙ୍କାରେ ଦରମା ପାଉଛନ୍ତି। ହେଲେ ଲୋକଙ୍କ କାମ ପାଇଁ ହାତଗୁଞ୍ଜା ଦାବି କରିବା କେତେଦୂର ସମୀଚୀନ। ଏମାନେ ସାଧାରଣ ଲୋକଙ୍କୁ ଶୋଷଣ କରିବା ସହିତ ସମାଜର ଅନେକ କ୍ଷତି ସାଧନ କରୁଛନ୍ତି। ସଂପ୍ରତି ସମାଜରେ ଦାରିଦ୍ର୍ୟ ଓ ବେରୋଜଗାରୀ ଭଳି ଅନେକ ସମସ୍ୟା ବଢ଼ି ଚାଲିଥିବା ବେଳେ ଏମାନେ କେବଳ ବ୍ୟକ୍ତିଗତ ସ୍ବାର୍ଥସାଧନରେ ଲାଗିଛନ୍ତିି। ରାଜକୋଷକୁ ଲୁଟୁଥିବା ଓ ପରୋକ୍ଷରେ ଲୋକଙ୍କ ହିତରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

  • ଯଦୁମଣି ପାଣିଗ୍ରାହୀ
    ଶଂଖିଡା, ତିହିଡି, ଭଦ୍ରକ
    ମୋ:୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri