ମୁସଲମାନ ବୋଲି ମନ୍ତ୍ରୀ ପଦ ଯାଇଛି

ଲଣ୍ଡନ, ୨୪ା୧: ପାକିସ୍ତାନ ବଂଶୋଦ୍ଭବ ବ୍ରିଟେନର ପୂର୍ବତନ ମନ୍ତ୍ରୀ ନୁସରତ ଗନି ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବଂ ତାଙ୍କ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ସହଯୋଗୀଙ୍କର ସମସ୍ୟା ହୋଇଥିଲା। ତାଙ୍କ ‘ମୁସଲମାନ ମହିଳା ମନ୍ତ୍ରୀ’ ଷ୍ଟାଟସ୍‌କୁ ସେମାନେ ଗ୍ରହଣ କରିପାରୁ ନ ଥିଲେ। ଏଥିଯୋଗୁ ୨୦୨୦ ଫେବୃୟାରରେ ତାଙ୍କୁ କଞ୍ଜରଭେଟିଭ୍‌ ପାର୍ଟି ସରକାରରେ ମନ୍ତ୍ରୀ ପଦରୁ ହଟାଯାଇଥିଲା ବୋଲି ୪୯ ବର୍ଷୀୟା ନୁସରତ କହିଛନ୍ତି। ଥେରେସା ମେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୧୮ରେ ନୁସରତଙ୍କୁ ଜୁନିୟର ପରିବହନ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ୨୦୨୦ରେ ବୋରିସ୍‌ ଜନସନ ସରକାର ଗଢ଼ିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ବୋଲି ଏକ ସାକ୍ଷାତକାରରେ ନୁସରତ ପ୍ରକାଶ କରିଛନ୍ତି।
ଏହି ଅଭିଯୋଗକୁ ଦଳର ମୁଖ୍ୟ ସଚେତକ ମାର୍କ ସ୍ପେନ୍ସର ଖଣ୍ଡନ କରିଛନ୍ତି। ତାଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅପମାନଜନକ ବୋଲି ସ୍ପେନ୍ସର କହିଛନ୍ତି। ବ୍ୟକ୍ତିଗତ ଭାବେ ସେ ମଧ୍ୟ କେବେ ନୁସରତଙ୍କୁ ଏପରି ଦୃଷ୍ଟିରେ ଦେଖି ନ ଥିବା କିମ୍ବା ତାଙ୍କ ଧର୍ମ ଉପରେ କୌଣସି ଟିପ୍ପଣୀ ଦେଇ ନ ଥିବା ସ୍ପେନ୍ସର ପ୍ରତିକ୍ରିୟା ରଖିଛନ୍ତି। କଞ୍ଜରଭେଟିଭ ପାର୍ଟି ବିରୋଧରେ ପୂର୍ବରୁ ମଧ୍ୟ ଇସ୍‌ଲାମଫୋବିଆ ଅଭିଯୋଗ ଉଠିଥିଲା।

Share