ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଭବନକୁ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ମଧ୍ୟରେ ୩ଗୁଣ ବୃଦ୍ଧି ପାଇ ପାଖାପାଖି ୮ ହଜାରରେ ପହଞ୍ଚିଲାଣି। ସରକାରୀ କାର୍ଯ୍ୟାଳୟରେ ଯେପରି ସଂକ୍ରମଣ ନ ପହଞ୍ଚିବ ସେଥିପାଇଁ ସରକାର ଅଧିକ ଯତ୍ନବାନ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇଦିନ ତଳେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ(ଅଫିସରଙ୍କ ସମେତ) ବିଭାଗ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ରାଜ୍ୟ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇ ରାଜ୍ୟର ୪ ପ୍ରମୁଖ କାର୍ଯ୍ୟାଳୟ ଯଥା: ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନ ଭିତରକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ଗୃହ ବିଭାଗ ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ର ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନରଙ୍କୁ ଚିଠି କରି ଉପରୋକ୍ତ ୪ଟି ଯାକ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟ ଭିତରକୁ ଜନସାଧାରଣଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ପାସ୍‌ ନେଇଛନ୍ତି ସେସବୁକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଯିବ। ଯଦି କୌଣସି ଜରୁରୀ କାର୍ଯ୍ୟରେ ଜନସାଧାରଣ କିମ୍ବା ପାସ୍‌ ହୋଲ୍ଡରମାନେ ଆସିବାକୁ ଚାହିଁବେ ତେବେ ସେମାନଙ୍କୁ ସମ୍ପୃକ୍ତ ବିଭାଗର ସଚିବଙ୍କ ମାଧ୍ୟମରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଅନୁମତି ନେବାକୁ ପଡ଼ିବ।

Share