ଗ୍ୟାସ୍‌ ଦର ହ୍ରାସ ପ୍ରଧାନମନ୍ତ୍ରୀଙ୍କ ରାଖୀ ଉପହାର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୩୦।୮(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜ୍ୱଳା ହିତାଧିକାରୀ ଯୋଡ଼ିବା ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ମାତୃଶକ୍ତି ତଥା ଦେଶର ମା’ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ରାଖୀ ଉପହାର ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଦେଶରେ ଥିବା ୩୩ କୋଟି ଏଲ୍‌ପିଜି ହିତାଧିକାରୀଙ୍କୁ ଗ୍ୟାସ୍‌ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା କମ୍‌ କରିବା ସଂକ୍ରାନ୍ତୀୟ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ସେହିପରି ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷଙ୍କୁ ମାଗଣାରେ ଏଲ୍‌ପିଜି ଗ୍ୟାସ୍‌ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ପୂର୍ବ ସରକାରରେ ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲ୍‌ପିଜି ହିତାଧିକାରୀ ଥିବା ବେଳେ ଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି। ଦେଶରେ ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ଥିବାବେଳେ ବର୍ତ୍ତମାନର କ୍ୟାବିନେଟ ନିଷ୍ପତ୍ତି ଦ୍ୱାରା ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ। ସାଢେ ୪ ହଜାର କୋଟି ଟଙ୍କାର ଦାୟିତ୍ୱ କେନ୍ଦ୍ର ସରକାର ନେବେ ବୋଲି ସେ କହିଛନ୍ତି। ଗ୍ୟାସ୍‌ ଦର ହ୍ରାସ ନିଷ୍ପତ୍ତି ଲାଗି ପ୍ରଧାନମନ୍ତ୍ରୀଙ୍କୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share