ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍ସିକ୍’ ଆପ୍ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍ଜିପିଟି, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ ‘ଡିପ୍ସିକ୍’ର ଲୋକପ୍ରିୟତା ଆକାଶଛୁଆଁ ହେବା ସହ ଏଆଇ କମ୍ପାନୀଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ChatGPT ଭଳି ପ୍ଲାଟଫର୍ମ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ଉନ୍ନତ ସେବା ପାଇଁ ଦେୟ ଦେବାକୁ ପଡ଼ୁଥିବା ବେଳେ, ଏହା ଏହାର ସମ୍ପୂର୍ଣ୍ଣ ସେବା ମାଗଣାରେ ପ୍ରଦାନ କରୁଛି।
‘ଡିପ୍ସିକ୍’-ଭି୩ ମଡେଲ ଏକ ଉନ୍ନତ ଓପନ୍-ସୋର୍ସ ଏଆଇ ସିଷ୍ଟମ। ‘ଡିପ୍ସିକ୍’ ଏଆଇ ଏହାର ପ୍ରତିଦ୍ୱନ୍ଦ୍ୱୀ ଚାଟ୍ଜିପିଟିକୁ ପଛରେ ପକାଇ ଆମେରିକାରେ ଆପଲ ଆପ ଷ୍ଟୋରରେ ଉପଲବ୍ଧ ଶ୍ରେଷ୍ଠ ମୂଲ୍ୟାଙ୍କିତ ମାଗଣା ଆପ୍ଲିକେସନ ପାଲଟିଛି। ଏହା ଯୋଗୁ କିଛି ଆମେରିକୀୟ ଟେକ୍ କମ୍ପାନୀ କୋଟି କୋଟି ଡଲାର ହରାଇଛନ୍ତି। ଏନ୍ଭିଡିଆ ସମେତ ଅନେକ ବଡ଼ ଟେକ କମ୍ପାନୀର ଶେୟାର ପ୍ରଭାବିତ ହୋଇଛି।
Nvidia ହେଉଛି ଏକ ପ୍ରମୁଖ ଆମେରିକୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଯାହା ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ (GPU) ଏବଂ ଅନ୍ୟାନ୍ୟ କମ୍ପ୍ୟୁଟର ହାର୍ଡୱେୟାର ଏବଂ ସଫ୍ଟୱେର୍ ନିର୍ମାଣ କରେ। ‘ଡିପ୍ସିକ୍’ ଏନଭିଡିଆକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି। ୨ ଦିନରେ Nvidia ସେୟାର ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହି କାରଣରୁ, କମ୍ପାନୀର ବଜାର ପୁଞ୍ଜି ପ୍ରାୟ $୬୦୦ ବିଲିୟନ କ୍ଷତି ସହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡିପସିକ ଗୋଟିଏ ଦିନରେ ବିଶ୍ୱର ୫୦୦ ଜଣ ଧନୀ ଲୋକଙ୍କୁ ପ୍ରାୟ ୧୦୮ ବିଲିୟନ ଡଲାର (ପ୍ରାୟ ୯.୩ ଲକ୍ଷ କୋଟି ଟଙ୍କା) କ୍ଷତି ପହଞ୍ଚାଇଛି।
‘ଡିପ୍ସିକ୍’ ଏହାର ପ୍ରତିଯୋଗୀ ChatGPT, OpenAI, ଏବଂ Meta’s Llama ପରି ସମାନ ଫଳାଫଳ ପ୍ରଦାନ କରୁଛି। ‘ଡିପ୍ସିକ୍’ର ନିର୍ମାତା ଲିଆଙ୍ଗ ୱେନଫେଙ୍ଗ ଏଆଇ ଶିଳ୍ପରେ ଏକ ଡାର୍କ ହର୍ସ ଭାବରେ ଉଭା ହୋଇଛନ୍ତି। ବଜାରରେ ‘ଡିପ୍ସିକ୍’ର ଆଗମନ ପ୍ରାୟ ୫୦୦ କୋଟିପତିଙ୍କୁ କ୍ଷତି ପହଞ୍ଚାଇଛି। ‘ଡିପ୍ସିକ୍’ର ଆଗମନ ଯୋଗୁଁ Nvidia ବ୍ୟତୀତ Dell ପ୍ରତିଷ୍ଠାତା ମାଇକେଲ ଡେଲ ୧୩ ବିଲିୟନ ଡଲାର ଏବଂ Binance ସହ-ପ୍ରତିଷ୍ଠାତା ଚାଙ୍ଗପେଙ୍ଗ ଝାଓ ୧୨.୧ ବିଲିୟନ ଡଲାରର ଏକ ବଡ଼ କ୍ଷତି ସହିଛନ୍ତି।