ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର

ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ ଧରି ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀକୋଣା ପଞ୍ଚାୟତ ଚାରିଗୋଛିଆ ଗ୍ରାମର ଶହେ ପରିବାର ଚଳିଆସୁଛନ୍ତି। କେବଳ ଚାରିଗୋଛିଆ ନୁହେଁ ପୁରୁଣାବାଲେଶ୍ୱର, ମୋତିଗଞ୍ଜ, ନୂଆସାହି ପୋଲ ଓ ନଖପୁର ଅଞ୍ଚଳର ଲୋକେ ଏଠାକୁ ମାଛ ଧରିବାକୁ ଆସିଥାନ୍ତି।
ବୁଢ଼ାବଳଙ୍ଗ ନଦୀ ଏହି ଚାରିଗୋଛିଆ ମୁହାଣରେ ୟୁ-ଟର୍ଣ୍ଣ ମାରି ଅଳ୍ପ ଦୂରରେ ଥିବା ସମୁଦ୍ରରେ ମିଶିଛି। ନଦୀର ୟୁ-ଟର୍ଣ୍ଣ ଯୋଗୁ ଏହି ସ୍ଥାନର ଗଭୀରତା ବହୁ ଅଧିକ। ନଦୀର ବଡ଼ ବଡ଼ ମାଛଗୁଡ଼ିକ ଏଠାରେ ରହିବାକୁ ସୁରକ୍ଷିତ ମଣିଥାନ୍ତି। ଏହି ମୁହାଣରେ ଜାଲ ପକାଇବା ସମ୍ଭବ ହେଉ ନ ଥିବାରୁ ସ୍ଥାନୀୟ ଲୋକମାନେ ବନିଶୀ ସାହାଯ୍ୟରେ ମାଛ ଧରିଥାନ୍ତି। ବଡ଼ ବଡ଼ ନଦୀ ଚିଙ୍ଗୁଡ଼ି ସହିତ ବେଗ୍‌ଟି, ବାଳିଆ, କଣ୍ଟିଆ ମାଛ ସମୟ ଅନୁସାରେ ମାଛଧରାଳୀମାନେ ଧରିଥାନ୍ତି। ଏହାକୁ ବିକି ମାସିକ ହାରାହାରି ୫ରୁ ୬ହଜାର ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି। ବନିଶୀରେ ବେଳେ ବେଳେ ୧୦ରୁ ୧୨ କେଜି ବିଶିଷ୍ଟ ବେଗ୍‌ଟି ଓ ବାଳିଆ ମାଛ ପଡ଼ିଥାନ୍ତି। ସେଗୁଡ଼ିକ ପାଇଁ ସ୍ବତନ୍ତ୍ର ବନିଶୀ ବ୍ୟବହାର ହୋଇଥାଏ। ଚିଙ୍ଗୁଡ଼ି ଧରିବା ପାଇଁ ପତଳା ଏବଂ ଛୋଟ ବନିଶୀ ବ୍ୟବହାର ହେଉଥିବା ବେଳେ ବେଗ୍‌ଟି ଓ ବାଳିଆ ଭଳି ବଡ଼ ମାଛ ଧରିବାକୁ ହେଲେ ଅଧିକ ମୋଟା ଓ ଲମ୍ବା ବିଶିଷ୍ଟ ବନିଶୀ ବ୍ୟବହାର କରାଯାଇଥାଏ। ସ୍ଥାନୀୟ ବାସିନ୍ଦା ସୁଧାଂଶୁ ପାତ୍ରଙ୍କ କହିବାନୁସାରେ, ଚାରିଗୋଛିଆ ଗ୍ରାମରେ ପାଖାପାଖି ଶହେ ପରିବାରର ୫ଶହରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି। ଅଧିକାଂଶ ଲୋକ ମୁହାଣରେ ବନିଶୀ ପକାଇ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ବିଶେଷ କରି ଏହି ମୁହାଣରେ ବଡ଼ ବଡ଼ ଚିଙ୍ଗୁଡ଼ି ଓ ବେଗ୍‌ଟି ମାଛ ଧରାଦିଅନ୍ତି। ମାଈ ଚିଙ୍ଗୁଡ଼ିଗୁଡ଼ିକୁ ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀମାନେ ଗୋଟାକୁ ୪ଶହ ଟଙ୍କାରେ କିଣି ନେଇ ସେମାନଙ୍କ ଫାର୍ମ ପୋଖରୀରେ ଛାଡ଼ନ୍ତି। ଅନ୍ୟ ଚିଙ୍ଗୁଡ଼ିଗୁଡ଼ିକୁ କିଲୋ ପିଛା ୬ଶହରୁ ୭ଶହ ଟଙ୍କାରେ ବାଲେଶ୍ୱର ମୋତିଗଞ୍ଜସ୍ଥିତ ମାଛ ମାର୍କେଟ୍‌ରେ ବିକ୍ରି କରିଥାନ୍ତି। ଏହିଭଳି ଦିନକୁ ହାରାହାରି ୨ଶହରୁ ୩ଶହ ଟଙ୍କା ରୋଜଗାର ହୋଇଥାଏ ବୋଲି କହିଥିଲେ। ଉକ୍ତ ଗ୍ରାମର ଗୋପାଳ ଚନ୍ଦ୍ର ପାତ୍ର କୁହନ୍ତି, ଚାଷକାମ ଏବଂ ମାଛଧରାରୁ ତାଙ୍କ ପରିବାରର ୮ଜଣ ସଦସ୍ୟ ବେଶ୍‌ ସୁରୁଖୁରୁରେ ଚଳିଯାଉଛନ୍ତି।

Share