ଶୀତ ବଢ଼ିଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ। ଅନେକ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। କୋଭିଡ୍‌-୧୯ ଭୂତାଣୁ ଶରୀରରେ ଥିବା ସମୟରେ ଅନ୍ୟ ରୋଗସବୁ ବଢ଼ି ଯାଉଛି। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ପାର୍ବଣ ପାଖେଇ ଆସୁଛି, ଆଗକୁ ଶୀତ ମଧ୍ୟ ଆସୁଛି। ଏହି ସମୟରେ ସଜାଗ ନ ହେଲେ ସଂକ୍ରମଣ ଅଧିକ ହେବା ଆଶଙ୍କା ରହିଛି। ତେବେ ଶୀତ ବଢ଼ିଲେ କରୋନା ବଢ଼ିବା ସମ୍ଭାବନା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଶେଷ ୨୪ ଘଣ୍ଟାରେ କରୋନା ମହାମାରୀ ଆଉ ୧୩ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୪ଜଣ ଥିବାବେଳେ ପୁରୀରୁ ୩, ଭୁବନେଶ୍ୱରରୁ ୨, ଅନୁଗୋଳ, ନୂଆପଡ଼ା, ବଲାଙ୍ଗୀର ଓ ବାଲେଶ୍ୱରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୧,୧୮୧କୁ ବୃଦ୍ଧି ପାଇଛି।
ସେପଟେ ରାଜ୍ୟରେ ୧,୯୩୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧,୧୨୦ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଓ ୮୧୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୭୩ଜଣ ଚିହ୍ନଟ ହୋଇଥିବାବେଳେ କଟକ ୧୫୩, ଅନୁଗୋଳ ୧୨୦, ସୁନ୍ଦରଗଡ଼ରୁ ୧୦୪ଜଣ ରହିଛନ୍ତି। ଅନ୍ୟସବୁ ଜିଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ରେ ପହଞ୍ଚତ୍ଛି। ସେହିଭଳି ଆଉ ୨,୭୧୬ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇଛନ୍ତି। ଫଳରେ ଆରୋଗ୍ୟ ସଂଖ୍ୟା ୨,୫୪,୯୧୩ ଛୁଇଁଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡ଼ିଛି।

Share