ଖଟିଆରେ ୧କି.ମି. ବୁହା ହେଲେ ଗର୍ଭବତୀ

ରୂପସା,୭।୧୦(ଡି.ଏନ.ଏ.):ଗାଁକୁ ରାସ୍ତା ନ ଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀଙ୍କୁ ୧ କି.ମି. ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାଧୀନତାର ୭୫ ବର୍ଷ ପରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଛି ବସ୍ତା ବିଧାୟକଙ୍କ ନିଜ ପଞ୍ଚାୟତ ମୁକୁଳିସିଠାରେ।
ଜିଲା ବସ୍ତା ଥାନା ମୁକୁଳିସି ପଞ୍ଚାୟତ ରେଣୁପଦା କୁଲାସାହି ଗ୍ରାମର ରାମସିଂ ମାରାଣ୍ଡିଙ୍କ ଗର୍ଭବତୀ ଝିଅ ବର୍ଷାଙ୍କ ଗର୍ଭଯନ୍ତ୍ରଣା ଯୋଗୁ ଗୁରୁବାର ସକାଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେ ଦୀର୍ଘଦିନ ଧରି ବାପଘରେ ରହି ଚିକିତ୍ସିତ ହେଉଥିଲେ। ଅସୁସ୍ଥ ହେବାରୁ ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ପରିବାର ଲୋକେ ବାଧ୍ୟ ହୋଇ ୧ କି.ମି. ପର୍ଯ୍ୟନ୍ତ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଦୀର୍ଘଦିନ ଧରି କୁଲାସାହି ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ ହେଁ ଏଯାବତ୍‌ ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି।

Share