Categories: ଜାତୀୟ

ଦେଖିବାକୁ ଯେମିତି, ମାର୍କ ବି ସେମିତି

ନଏଡା,୧୬।୭: ନିକଟରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ନଏଡାର ଦୁଇ ଯାଆଁଳା ଭଉଣୀ (ଛାତ୍ରୀ) ଦେଖିବାକୁ ଯେମିତି ଏକାଭଳି ମାର୍କ ବି ସେମିତି ସମାନ ରଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମାନସୀ ଓ ମାନ୍ୟା। ରାଜଧାନୀ ଦିଲ୍ଲୀ ନିକଟ ନଏଡାରେ ସେମାନେ ରୁହନ୍ତି। ଉଭୟ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୫.୮% ମାର୍କ ରଖିଛନ୍ତି। ଗ୍ରେଟର ନଏଡାର ଆଷ୍ଟର ପବ୍ଲିକ ସ୍କୁଲରେ ସେ ପାଠ ପଢ଼ୁଥିଲେ। ଉଭୟ ଇଂଲିଶ୍‌, କମ୍ପ୍ୟୁଟର ସାଇନ୍ସରେ ୯୮, ଫିଜିକ୍ସ, କେମେଷ୍ଟ୍ରି ଓ ଫିଜିକାଲ ଏଜୁକେଶନରେ ୯୫ ମାର୍କ ରଖିଛନ୍ତି। କେବଳ ନାମ ଅଲଗା ହୋଇଥିବାବେଳେ ସେମାନଙ୍କୁ ଦେଖିଲେ ଏକାପରି ଲାଗନ୍ତି। ପରୀକ୍ଷାରେ ଭଲକରିବୁ ବୋଲି ଆଶା ଥିଲା, ହେଲେ ଦୁଇ ଭଉଣୀଙ୍କ ସମାନ ମାର୍କ ରହିବ ବୋଲି କେବେ ବି ଭାବି ନ ଥିଲୁ ବୋଲି କହିଛନ୍ତି ସେମାନେ। ପରୀକ୍ଷା ପରେ ମାର୍କ ଆନାଲିସିସ୍‌ କରିବାରୁ ମାନ୍ୟା ଅଧିକ ନମ୍ବର ରଖିବ ବୋଲି ଅନୁମାନ କରାଯାଇଥିଲା। ହେଲେ ଦୁହିଁଙ୍କର ସମାନ ମାର୍କ ମୋତେ ଖୁସି ଆଣିଦେଇଛି ବୋଲି ମାନସୀ କହିଛନ୍ତି। ଆଗରୁ ଏଭଳି ସମାନ ମାର୍କ କେବେ ଆମେ ପାଇ ନ ଥିଲୁ ବୋଲି ସେ ପ୍ରକାଶ କରିଛନ୍ତି। ଦୁଇ ଭଉଣୀ ଏବେ ଇଞ୍ଜିନିୟରିଂ ପଢ଼ିବାକୁ ମନସ୍ଥ କରିଛନ୍ତିି।

Share