ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି

ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍‌ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି। ମାତ୍ର ଦେଢ଼ଲକ୍ଷ ଟଙ୍କା ପାଇଁ ମାତାପିତା ନିଜ ଝିଅଙ୍କୁ କମ୍‌ ବୟସରେ ବିବାହ ଆଳରେ ବିକ୍ରି କରିଦେଉଥିବା ଜଣାପଡ଼ିଛି। କେହି କେହି ଟଙ୍କାର ଆବଶ୍ୟକତା ଥିବାରୁ ନିଜ ଝିଅଙ୍କୁ ବିକ୍ରି କରୁଥିବା ବେଳେ ଆଉ କେତେକ ଲୋକ ଝିଅ ବିକ୍ରି ପାଇଁ ମାତାପିତାଙ୍କ ଉପରେ ଚାପ ପକାଇଥାନ୍ତି। କୁହାଯାଏ, କନ୍ୟାଙ୍କ ମାତାପିତା ଏଥିପାଇଁ ୧.୪୫ ଲକ୍ଷରୁ ୧୩ ଲକ୍ଷ ଟଙ୍କା ଦାବି କରିଥାନ୍ତି। ଆଉ ବିକ୍ରି ନାଁରେ ସେମାନଙ୍କୁ ବିବାହ କରାଇଦେଇଥାନ୍ତି। ଏହି ମାମଲାରେ ସେଣ୍ଟର ଅଫ୍‌ ହ୍ୟୁମନ ରାଇଟ୍ସ ଅଫ୍‌ ଦ ମାଉଣ୍ଟେନର ନିର୍ଦ୍ଦେଶକ ଏବେଲ ବେରେରା କହିଛନ୍ତି, ଏଠାରେ ଝିଅମାନେ ଜମା ବି ସୁରକ୍ଷିତ ନୁହଁନ୍ତି। ଶଶୁରଙ୍କ ଘରେ ତାଙ୍କୁ ଘରୋଇ ଓ କୃଷି କାର୍ଯ୍ୟରେ ଲଗାଯିବା ସହ ନିଜର ଦାସୀ ବନାଇଥାନ୍ତି। ବେଳେ ବେଳେ ଶଶୁରଘରଲୋକେ ତାଙ୍କ ଉପରେ ଯୌନ ନିର୍ଯ୍ୟାତନା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଗ୍ୟୁରେରୋରେ ଗତ ବର୍ଷ ୯ରୁ ୧୭ବର୍ଷର ଝିଅମାନେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେଥିରୁ ବି କେତେକ ଶିଶୁଙ୍କୁ ଟଙ୍କା ପାଇଁ ବିକ୍ରି କରାଯାଇଛି। ତେବେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ବର୍ତ୍ତମାନ ଅନେକ ଲୋକ ଓ ବୁଦ୍ଧିଜୀବୀମାନେ ବିରୋଧ କରୁଛନ୍ତି। ଆଉ ଏହି କୁପ୍ରଥାକୁ ବନ୍ଦ କରିବାକୁ ଦାବି କରାଯାଉଛି। ଅନ୍ୟପଟେ ଏହି ରାଜ୍ୟର ପରମ୍ପରାକୁ ନେଇ ୨୩ବର୍ଷୀୟ ଏଲୋଇନା ଫେଲିସିଆନୋ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ ବି ୧୪ବର୍ଷରେ ବିକ୍ରି କରାଯାଇଥିଲା। ବିବାହ ପାଇଁ ଏଲୋଇନା ତାଙ୍କ ମା’ଙ୍କୁ ଯେତେ ମନା କରିଥିଲେ ବି ସେ ମାନି ନ ଥିଲେ। ଶେଷରେ ତାଙ୍କୁ ମଧ୍ୟ ବିବାହ କରାଇ ବିକ୍ରି କରିଦେଇଥିଲେ। ତେବେ ବିକ୍ରି ତ ଜୀବଜନ୍ତୁଙ୍କ ହୋଇଥାଏ, ମଣିଷଙ୍କର ନୁହେଁ ବୋଲି ଏଲୋଇନା କହିଛନ୍ତି।

Share