Categories: ଜାତୀୟ

ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ ଦେଶଗୁଡିକ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବାବେଳେ, ଏବେ ବିରୋଧୀ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ, ଅଲ ଇଣ୍ଡିଆ ମଜଲିସ-ଇ-ଇତେହଦ-ଉଲ ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ସାମିଲ ହୋଇଛନ୍ତି। ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇ ନୁପୁରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଓୱାଇସି କହିଛନ୍ତି ଯେ, ୧୦ ଦିନ ହେବ ଏହି ପ୍ରସଙ୍ଗରେ ସରକାର ଆମ କଥା ଶୁଣି ନ ଥିଲେ, ଯେତେବେଳେ ଗଲ୍ଫ ଦେଶରୁ ଏହି ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରାଯାଇଥିଲା, ସେତେବେଳେ ଭାଜପା ଧ୍ୟାନ ଦେଇ ନୁପୁରଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ମୁସଲମାନଙ୍କ ଦୁଃଖ ଶୁଣିବା ଉଚିତ୍‌। ସେମାନେ କାହିଁକି ଆମ କଥା ଶୁଣନ୍ତି ନାହିଁ? ନୁପୁରଙ୍କୁ ଗିରଫ କରାଯିବା ଉଚିତ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକ ଟିଭି ଡିବେଟରେ ନୁପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀର ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ରବିବାର ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।

Share