Categories: ଜାତୀୟ

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଟିମ୍ ବୋଲି କୁହାଯିବା ପରେ ରବିବାର କଂଗ୍ରେସ ଉପରେ ସେ ଖୁବ୍ ବର୍ଷିଛନ୍ତି । ଅସଦୁଦ୍ଦିନ କହିଛନ୍ତି ଯେବେଠାରୁ ଆମେ ପଶ୍ଚିମବଙ୍ଗ ନିର୍ବାଚନ ଲଢିବା କଥା ଘୋଷଣା କରିଛୁ ବ୍ୟାଣ୍ଡ ବାଜା ପାର୍ଟି ଯାହା ପୂର୍ବରୁ କଂଗ୍ରେସ ପାର୍ଟି ଭାବେ ପରିଚିତ ଥିଲା ଏବେ କହୁଛି କି ଆମେ ଭାଜପାର ଟିମ୍ । ମମତା ବାନାର୍ଜୀ ବି ଏମିତି କଥା କହୁଛନ୍ତି । ତେଣୁ ମୁଁ କ’ଣ କେବଳ ଜଣେ ରହିଛି ଯାହା ବିଷୟରେ ଏମାନେ ଆଲୋଚନା କରୁଛନ୍ତି ବୋଲି ଓୱାଇସି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ମୁଁ କାହାର ବା କୌଣସି ଦଳର ନୁହେଁ ବରଂ ଜନତାଙ୍କର । ସୂଚନାଯୋଗ୍ୟ, ଅସଦୁଦ୍ଦିନ ଓୱାଇସି କର୍ନାଟକ ଗସ୍ତରେ ଅଛନ୍ତି । କଳବୁର୍ଗି ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ଗୋଟିଏ ପଟେ ମୋଦି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଅନ୍ୟପଟେ ଗାନ୍ଧୀଙ୍କ ହତ୍ୟାର ଷଡଯନ୍ତ୍ର କରିଥିବା ସାୱରକରଙ୍କ ପୂଜା କରୁଛନ୍ତି ।

Share